ଗାୟତ୍ରୀ ଆବାସିକ ଶିକ୍ଷା ନିକେତନରେ ଗୋପବନ୍ଧୁ ଓ ସହିଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ ଦେଶପ୍ରେମ, ସେବା ଓ ସମର୍ପଣର ମନ୍ତ୍ର ଦେଲେ ଅତିଥି

ବର୍ଣ୍ଣପୁସୁର , ୧୧/୧୦: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନରେ ଶନିବାର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଉକ୍ତ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସହିଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ, ସମାଜସେବା ଓ ମହାପୁରୁଷଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ପ୍ରେରଣା ଦିଆଯାଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀମାନଙ୍କ ଦ୍ୱାରା ବ୍ୟକ୍ତିଗତ ସଙ୍ଗୀତ ପରିବେଷଣ ସହ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାର ଶୁଭାରମ୍ଭ ହୋଇଥିଲା। ଦୀନେଶ ବିଶ୍ୱାଲ ଅତିଥି ପରିଚୟ ପ୍ରଦାନ କରି ଥିଲେ। ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ସୋନପୁର ଜିଲ୍ଲା କାର୍ଯ୍ୟକାରିଣୀ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ପଙ୍କଜ ଖମାରୀ ସଭା ପରିଚାଳନା କରିଥିଲେ।
ସଭାରେ ମଞ୍ଚାସୀନ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟ ଗିରିଜା ଶଙ୍କର ରଥଙ୍କ ସମେତ ଡ. ପ୍ରଫୁଲ୍ଲ କୁମାର ରଥ, ଧର୍ମ କୁମାର ଶତପଥୀ, ଅଖିଳ ଭାରତୀୟ ପରିଷଦର ଆଜୀବନ ସଦସ୍ୟ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା, ବୁଦ୍ଧିଜୀବୀ ସନ୍ତୋଷ କୁମାର ରଥ, କିଶୋର କୁମାର ହୋତା ଓ ଶିକ୍ଷକ ରାସବିହାରୀ ମେହେର ପ୍ରମୁଖ ଉପସ୍ଥିତ ରହି ମହାପୁରୁଷଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ଏହାସହ ରାଧେଶ୍ୟାମ ମିଶ୍ର ଉପସ୍ଥିତ ଥିଲେ।
ଡ. ପ୍ରଫୁଲ୍ଲ କୁମାର ରଥ ସହିଦ ବାଜି ରାଉତଙ୍କ ଅତୁଳନୀୟ ବଳିଦାନ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା, ତ୍ୟାଗ ଓ ସମର୍ପଣର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ଧର୍ମ କୁମାର ଶତପଥୀ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ଜୀବନରେ ଦୃଢ଼ମନା ହେବା, ପ୍ରେରଣାଦାୟୀ ଆଦର୍ଶ ଗ୍ରହଣ କରିବା ଏବଂ ଅଧ୍ୟବସାୟକୁ ନିଜର ପାଥେୟ କରିବା ପାଇଁ ଆହ୍ୱାନ ଦେଇଥିଲେ।
ସେହିପରି ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ନିଜ ଜୀବନର ଅନୁଭୂତି ଓ ପ୍ରେରଣାଦାୟୀ କାହାଣୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ଉତ୍ସାହିତ କରିଥିଲେ। ବୁଦ୍ଧିଜୀବୀ ସନ୍ତୋଷ କୁମାର ରଥ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିବାକୁ ଆହ୍ୱାନ ଦେଇଥିବା ବେଳେ ଶିକ୍ଷକ ରାସବିହାରୀ ମେହେର ମଧ୍ୟ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ହାସଲ ପାଇଁ ପ୍ରେରଣା ଦେଇଥିଲେ। ଅନ୍ୟ ଅତିଥିମାନେ ମଧ୍ୟ ମହାପୁରୁଷଙ୍କ ଆଦର୍ଶକୁ ଅନୁସରଣ କରିବା ସହ ଦେଶ ଓ ସମାଜର ସେବାରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ। ଶେଷରେ ଗାୟତ୍ରୀ ଆବାସିକ ହାଏଜର ସେକେଣ୍ଡାରୀ ସ୍କୁଲ ର ଅଧ୍ୟକ୍ଷ ଯୁଧିଷ୍ଠିର ଖମାରୀ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
ମହାପୁରୁଷଙ୍କ ତ୍ୟାଗ, ବଳିଦାନ ଓ ସେବାର ଆଦର୍ଶକୁ ଆପଣାଇ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବାର ସଂକଳ୍ପ ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।



