ଓଡିଶା

ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନ୍ୟାୟ ଦାବି

ପ୍ରଧାନଶିକ୍ଷକଙ୍କ ବିରୋଧରେ ଗୁରୁତର ଅଭିଯୋଗ, ଜାତୀୟ ରାଜପଥ-୪୯ ଅବରୋଧ ପରେ ପ୍ରଶାସନର ଲିଖିତ ପ୍ରତିଶ୍ରୁତି

ରାଇରଙ୍ଗପୁର (ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା, ମାନସିକ ଅତ୍ୟାଚାର ଓ ଜାତିଆଣ ଆକ୍ଷେପ ଭଳି ଗୁରୁତର ଅଭିଯୋଗ ଆଣି ଛାତ୍ରଛାତ୍ରୀମାନେ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି।

ଅଭିଯୋଗର ପ୍ରତିବାଦରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାୟ ୧୦ କିଲୋମିଟର ପଦଯାତ୍ରା କରି ଜାତୀୟ ରାଜପଥ-୪୯ ଅବରୋଧ କରିଥିଲେ। ଏହାଫଳରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ଘଟଣାଟି ଗୁରୁତ୍ୱ ଲାଭ କରିଥିଲା।

ପରିସ୍ଥିତିର ସମାଧାନ ପାଇଁ ଘଟଣାସ୍ଥଳରେ ଉପଜିଲ୍ଲାପାଳ, ବିଡିଓ, ପିଏ ଆଇଟିଡିଏ ଓ ଥାନା ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଜିଲ୍ଲାପାଳଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରାଯାଇ ଅଭିଯୋଗଗୁଡ଼ିକର ଗୁରୁତ୍ୱ ଉପସ୍ଥାପନ କରାଯାଇଥିଲା।

ଛାତ୍ରଛାତ୍ରୀଙ୍କ ପ୍ରମୁଖ ଦାବି ମଧ୍ୟରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ, ତାଙ୍କୁ ତୁରନ୍ତ ବିଦ୍ୟାଳୟରୁ ବଦଳି ଏବଂ ଅଭିଯୋଗର ଉପଯୁକ୍ତ ତଦନ୍ତ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଦି ରହିଛି।

ପ୍ରଶାସନ ପକ୍ଷରୁ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଛାତ୍ରଛାତ୍ରୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି।

ଏହି ଘଟଣା ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାରକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ ସହ ଦୋଷୀ ସାବ୍ୟସ୍ତ ହେଲେ ଆଇନ ଅନୁଯାୟୀ ଉପଯୁକ୍ତ ଦଣ୍ଡବିଧାନ କରାଯିବା ଦାବି ଜୋର ଧରିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button