ବ୍ଲକସ୍ତରୀୟ ପଡୋଶୀ ଯୁବକ ସଂସଦ କାର୍ଯ୍ୟକ୍ରମ

- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ (ରାଜକିଶୋର ସେଠୀ) କୁଚିଣ୍ଡା ୨୪/୧୦/୨୬ କୁଚିଣ୍ଡାସ୍ଥିତ ଆଶା ନର୍ସ କଲେଜ ନର୍ସିଂ ପରିସରରେ ନେବରହୁଡ୍ ୟୁଥ୍ ପାର୍ଲାମେଣ୍ଟ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ସାମାଜିକ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜାତୀୟ ଏକତାର ଭାବନାକୁ ଜାଗ୍ରତ କରିବା।
କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯିବା ସହିତ ବନ୍ଦେ ମାତରମ୍ ଗାନରୁ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବି.କେ. ରୀନା ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ କୁତୁରାଚୁଆଁ କଲେଜର ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ସତ୍ୟନାରାୟଣ ପଟେଲ ଯୋଗଦେଇ ଯୁବପିଢ଼ିଙ୍କ ଭୂମିକା, ଶିକ୍ଷାର ଗୁରୁତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବକଯୁବତୀଙ୍କ ଅବଦାନ ସମ୍ପର୍କରେ ନିଜର ମତ ରଖିଥିଲେ।
ସେହିପରି ଆଶା କଲେଜ ଅଫ୍ ନର୍ସିଂ, କୁଚିଣ୍ଡାର ଅଧ୍ୟକ୍ଷା ଶ୍ରୀମତୀ ସୁମନ ସମ୍ପ୍ରିତା ପଟେଲ ଏବଂ ସମାଜସେବୀ ଓ ରାଷ୍ଟ୍ରପ୍ରେମୀ ଶ୍ରୀ ଶିଶିର କୁମାର ପଟେଲ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ନିଜ ନିଜର ଅଭିଭାଷଣରେ ରାଷ୍ଟ୍ରପ୍ରେମ, ନିଶା ନିବାରଣ, ସାମାଜିକ ଦାୟିତ୍ୱବୋଧ ଏବଂ ଜାତୀୟ ଏକତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। “ଏକ ରାଷ୍ଟ୍ର, ଏକ ବିଧାନ, ଏକ ସମ୍ବିଧାନ” ଭାବନାକୁ ଆଧାର କରି ଦେଶର ଏକତା, ଅଖଣ୍ଡତା ଓ ସାମ୍ବିଧାନିକ ମୂଲ୍ୟବୋଧକୁ ସମ୍ମାନ ଦେବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ। ଏଥିସହ ନିଶାମୁକ୍ତ ସମାଜ ଗଠନରେ ଯୁବକଯୁବତୀମାନେ ଆଗେଇ ଆସିବାକୁ ମଧ୍ୟ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୦ ଜଣ ଛାତ୍ର ଓ ୭୦ ଜଣ ଛାତ୍ରୀ ଥିଲେ। ସମସ୍ତ ଅଂଶଗ୍ରହଣକାରୀ ଉତ୍ସାହର ସହିତ କାର୍ଯ୍ୟକ୍ରମରେ ଭାଗ ନେଇ ଯୁବ ସଂସଦର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।
କାର୍ଯ୍ୟକ୍ରମର ସଭା ପରିଚାଳନା ଶ୍ରୀ ରୋଶନ କୁମାର ସାହୁ କରିଥିବା ବେଳେ ସଭା ଶେଷରେ ପ୍ରକୃତି ବନ୍ଧୁ ସରୋଜ କ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ନେବରହୁଡ୍ ୟୁଥ୍ ପାର୍ଲାମେଣ୍ଟ କାର୍ଯ୍ୟକ୍ରମ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ସାମାଜିକ ସଚେତନତା ଓ ଦାୟିତ୍ୱବୋଧ ବୃଦ୍ଧି କରିବା ସହିତ ଏକ ସଚେତନ, ସଶକ୍ତ ଓ ନିଶାମୁକ୍ତ ଭାରତ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।



