ଅଧାରେ ଅଟକିଛି ଲକ୍ଷ୍ମୀ ବସ୍ଷ୍ଟାଣ୍ଡ, ଖରାପ ରାସ୍ତା ଯୋଗୁଁ ମଢେଇକଚା ପଞ୍ଚାୟତକୁ ଆସୁନି ମୁଖ୍ୟମନ୍ତ୍ରୀ ସେବା ବସ୍

ରାଇରଙ୍ଗପୁର: ୫\୧୦\୨୬ (ଶ୍ଯାମଳେନ୍ଦୁ ପରିଡା) ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ମଢେଇକଚା ପଞ୍ଚାୟତରେ ନିର୍ମାଣାଧୀନ ଲକ୍ଷ୍ମୀ ବସ୍ଷ୍ଟାଣ୍ଡର କାମ ଦୀର୍ଘଦିନ ଧରି ଅଧାରେ ଅଟକି ରହିଛି। ଠିକାଦାର ନିର୍ମାଣ କାମ ଆରମ୍ଭ କରିଥିଲେ ମଧ୍ୟ ଅଧା କାମ ପରେ ନିର୍ମାଣ ବନ୍ଦ ହୋଇଯାଇଥିବା ଅଭିଯୋଗ ହୋଇଛି।
ଯାତ୍ରୀମାନଙ୍କ ସୁବିଧା ପାଇଁ ଏହି ବସ୍ଷ୍ଟାଣ୍ଡ ନିର୍ମାଣ କରାଯାଉଥିଲା। ହେଲେ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବାରୁ ବର୍ଷା ଓ ଖରା ସମୟରେ ଯାତ୍ରୀ ଏବଂ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହା ସହିତ ମଢେଇକଚା ପଞ୍ଚାୟତକୁ ଯାଇଥିବା ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ଥିବାରୁ ମୁଖ୍ୟମନ୍ତ୍ରୀ ସେବା ବସ୍ ମଢେଇକଚା ପଞ୍ଚାୟତକୁ ଆସିପାରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଗ୍ରାମାଞ୍ଚଳର ଲୋକମାନଙ୍କ ଯାତାୟାତ ସୁବିଧା ପ୍ରଭାବିତ ହେଉଛି।
ଅଧାରେ ପଡ଼ିଥିବା ବସ୍ଷ୍ଟାଣ୍ଡ ଓ ଖରାପ ରାସ୍ତାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ଜନହିତକର ପ୍ରକଳ୍ପ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ରହିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ଲୋକେ ତୁରନ୍ତ ବସ୍ଷ୍ଟାଣ୍ଡର ନିର୍ମାଣ କାମ ପୁନଃ ଆରମ୍ଭ କରି ସମ୍ପୂର୍ଣ୍ଣ କରିବା ସହ ମଢେଇକଚା ପଞ୍ଚାୟତକୁ ଯାଇଥିବା ରାସ୍ତାର ମରାମତି ଏବଂ ଉନ୍ନତିକରଣ ପାଇଁ ପ୍ରଶାସନ ଓ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।



