ଉମରକୋଟ ଛୁରାମାଡ଼ ଘଟଣାରେ ୩ ଗିରଫ, ସହରରେ ପୁଲିସର କଡ଼ା ନଜର

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ପେଣ୍ଡାଣୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଛାତ୍ର ନେତାଙ୍କୁ ଛୁରାମାଡ଼ ଘଟଣାରେ ପୁଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅବଦୁଲ ଶେଖ, ମଳୟ ଦୀପ ଓ ରାଜେଶ ହରିଜନ। ଶନିବାର ସକାଳେ ଛାତ୍ର ନେତା ଦୀପକମଲ ମହାପାତ୍ରଙ୍କୁ ଛୁରାମାଡ଼ କରାଯିବା ସହ ଅଭିଷେକ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା।
ଏହି ଘଟଣା ପରେ ଉମରକୋଟ ସହରରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ କରିଦେଇଥିଲେ। ଏପରିକି ପ୍ରତିବାଦ ସମୟରେ ଅଭିଯୁକ୍ତଙ୍କ ବାଇକ୍ରେ ନିଆଁ ଲଗାଇ ଦିଆଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବା ଆଶଙ୍କାରେ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।



