ଓଡିଶା

ଶ୍ରୀକ୍ଷେତ୍ରରେ ୨୪୦୦ ହବିଷ୍ୟାଳିଙ୍କ ପାଇଁ ମାଗଣା ରହଣି ବ୍ୟବସ୍ଥା, ସେବାରେ ଅବହେଳାକୁ ବରଦାସ୍ତ କରାଯିବନି

ପୁରୀ, ୨୪/୧୦: ପବିତ୍ର କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ହବିଷ୍ୟ ବ୍ରତ ପାଳନ କରିବାକୁ ଆସୁଥିବା ପ୍ରାୟ ୨୪୦୦ ହବିଷ୍ୟାଳିଙ୍କ ପାଇଁ ମାଗଣା ରହଣି ଓ ଆବଶ୍ୟକ ସେବା ବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପ୍ରଶାସନ। ଏଥିପାଇଁ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଚୟନ ହୋଇଥିବା ବ୍ରତଧାରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ପୁରୀରେ ପହଞ୍ଚିବାକୁ ସୂଚନା ଦିଆଯାଇଛି। ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଆବେଦନକାରୀଙ୍କ ଆବେଦନକୁ ଅନୁମୋଦନ ମିଳିନଥିବା ଜଣାପଡ଼ିଛି। ହବିଷ୍ୟାଳିଙ୍କ ରହଣି ପାଇଁ ତିନୋଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସରେ ପୁରୀ, ଖୋର୍ଦ୍ଧା, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ହବିଷ୍ୟାଳିମାନେ ରହିବେ। ମୋଚିସାହି ପୌର କଲ୍ୟାଣ ମଣ୍ଡପରେ ଗଞ୍ଜାମ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବ୍ରତଧାରୀଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ଜିଲ୍ଲାର ହବିଷ୍ୟାଳିମାନେ ରେଳୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ରହିବେ।

ହବିଷ୍ୟାଳିମାନଙ୍କ ଧାର୍ମିକ ଆଚାର ଓ ଦୈନନ୍ଦିନ ଆବଶ୍ୟକତାକୁ ଧ୍ୟାନରେ ରଖି ରହଣି କେନ୍ଦ୍ରଗୁଡ଼ିକରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ। ପ୍ରାତଃକାଳରେ ବୃନ୍ଦାବତୀ ପୂଜା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ, ଅପରାହ୍ଣରେ ମହାପ୍ରସାଦ ସେବନ ଏବଂ ସନ୍ଧ୍ୟାରେ ଭଜନ, କୀର୍ତ୍ତନ ଓ ପ୍ରବଚନର ବ୍ୟବସ୍ଥା ରହିଛି। ଆବେଦନକାରୀମାନେ ଅନଲାଇନରେ ନିଜ ଆବେଦନର ସ୍ଥିତି ଜାଣିପାରିବେ। ଚୟନ ହୋଇଥିବା ହବିଷ୍ୟାଳିଙ୍କୁ ପଞ୍ଜିକୃତ ମୋବାଇଲ ନମ୍ବରରେ ଫୋନ୍ କରି ଏବଂ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ପୁରୀ ଆସିବା ସମ୍ପର୍କରେ ଅବଗତ କରାଯାଇଛି। ରହଣି କେନ୍ଦ୍ରଗୁଡ଼ିକୁ ସୁସଜ୍ଜିତ କରିବା ସହ ସେଠାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଛି। ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସଚେତନ କରାଯାଇଛି। ହବିଷ୍ୟାଳିମାନଙ୍କ ରହଣି ସମୟରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି।

ଏନେଇ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ହବିଷ୍ୟାଳିଙ୍କ ସେବାକୁ ନିଷ୍ଠା ଓ ଦାୟିତ୍ୱର ସହ ସମ୍ପାଦନ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମାସେ ପରେ ଘରକୁ ଫେରିବା ସମୟରେ ପ୍ରତ୍ୟେକ ହବିଷ୍ୟାଳି ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ, ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ସେବା କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ଗ୍ରହଣ କରାଯିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଏସ୍ପି ପ୍ରତୀକ ସିଂ ହବିଷ୍ୟାଳି ମା’ମାନଙ୍କ ସୁରକ୍ଷା, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଥିବା କହିଛନ୍ତି। ଜିଲ୍ଲାପାଳ ବିଭିନ୍ନ ରହଣି କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିବା ସହ ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାସବ୍ୟାପୀ ଏହି ସେବା କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଶ୍ରୀମନ୍ଦିର ଦର୍ଶନ ସମୟରେ ହବିଷ୍ୟାଳିଙ୍କ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଓ ସ୍ୱେଚ୍ଛାସେବୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button