ସମ୍ଭାବ୍ୟ ବାତ୍ୟା ନେଇ ସତର୍କତା, ୩୦ ତାରିଖ ଯାଏଁ ସମୁଦ୍ରକୁ ଯିବା ମନା

ଗଞ୍ଜାମ, ୨୪ ଅକ୍ଟୋବର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପୂର୍ବରୁ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ‘ସାଗର ମିତ୍ର’ଙ୍କ ମାଧ୍ୟମରେ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସଚେତନ କରାଯାଇଥିବା ବେଳେ ଏବେ ଅନେକ ଡଙ୍ଗା ସମୁଦ୍ରରୁ କୂଳକୁ ଫେରୁଥିବା ଦେଖାଯାଉଛି।
ଗଞ୍ଜାମ ଜିଲ୍ଲାରେ ମୋଟ ୧,୬୨୫ଟି ଡଙ୍ଗା ଥିବାବେଳେ ଆର୍ଯ୍ୟପଲ୍ଲୀ ଓ ଗୋପାଳପୁର ଅଞ୍ଚଳରେ ପ୍ରାୟ ୧,୦୮୩ଟି ଡଙ୍ଗା ରହିଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି ହେବା ପରେ ଆର୍ଯ୍ୟପଲ୍ଲୀ ଅଞ୍ଚଳରୁ ସମୁଦ୍ରକୁ ଯାଇଥିବା ଡଙ୍ଗାଗୁଡ଼ିକ କୂଳକୁ ଫେରିବା ଆରମ୍ଭ କରିଛନ୍ତି। ଏହି ସମୟରେ ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳର ଦୁଇଟି ଟ୍ରଲର ଆର୍ଯ୍ୟପଲ୍ଲୀ ନିକଟରେ ଲଙ୍ଗର ପକାଇ ରହିଛି। ଏହି ଦୁଇ ଟ୍ରଲରରେ ୧୩ ଜଣ ମତ୍ସ୍ୟଜୀବୀ ଅଛନ୍ତି। ସମୁଦ୍ର ଅଶାନ୍ତ ରହିଥିବାରୁ ସେମାନେ ନିଜ ଅଞ୍ଚଳକୁ ଫେରି ନପାରି ଆର୍ଯ୍ୟପଲ୍ଲୀ ନିକଟରେ ଆଶ୍ରୟ ନେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ସମୁଦ୍ରରେ ଯାତାୟାତ ଉପରେ ପ୍ରଶାସନର ନଜର ରହିଛି।



