ଓଡିଶା

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଜେପି ସରକାରଙ୍କ କାମ କମ୍ କଥା ବେଶୀ: ବିଜେଡି

ନବୀନ ପଟ୍ଟନାୟକଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲ୍କୁ ପ୍ରଶଂସା କରିଥିଲା ଜାତିସଂଘ

ଭୁବନେଶ୍ୱର ( ଦେବାଶିଷ ଦାଶ ) ବିଜେପି ସରକାରରେ ‘ଜିରୋ କାଜୁଆଲିଟି’ ମଡ଼େଲ ସମ୍ପୂର୍ଣ୍ଣ ଫେଲ ମାରିଛି

ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବାରେ ସରକାର ବିଫଳ

ବିଗତ ୨୮ ମାସ ମଧ୍ୟରେ ବିପର୍ଯ୍ୟୟର ମୁକାବିଲା ଓ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସରକାରୀ ତଥ୍ୟ ଓ ବାସ୍ତବ ସ୍ଥିତି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ବନ୍ୟା, ଭୂସ୍ଖଳନ ଓ ବାତ୍ୟା ଯୋଗୁଁ ଅନେକ ଜୀବନହାନି ଘଟିଥିବା ବେଳେ ରିଲିଫ୍ ବଣ୍ଟନରେ ବିଳମ୍ୱ ଏବଂ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବାରେ ସରକାରଙ୍କ ପ୍ରସ୍ତୁତି ଓ ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଥିବା କହିଛି ବିଜେଡି ।

ଆଜି ଏକ ପ୍ରେସ୍ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ସାରା ବିଶ୍ୱରେ ପ୍ରଶଂସା ସାଉଁଟିଥିଲା ଓଡ଼ିଶା । ବିଜେଡି ସରକାରରେ ‘ଜିରୋ କାଜୁଆଲିଟି’ ମୁଖ୍ୟ ଲକ୍ଷ୍ୟ ଥିଲା, କିନ୍ତୁ ତାହା ଆଜି ଦୁର୍ବଳ ହେବାରେ ଲାଗିଛି । ବିପର୍ଯ୍ୟୟ ପରିଚାଳନାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବିପର୍ଯ୍ୟୟ ପରିଚାଳନା କେବଳ ସରକାରୀ ଘୋଷଣା ଓ ବୈଠକରେ ସୀମିତ ରହିବା ଉଚିତ୍ ନୁହେଁ । ବିପର୍ଯ୍ୟୟ ପୂର୍ବରୁ ବ୍ୟାପକ ପ୍ରସ୍ତୁତି, ତ୍ୱରିତ ପଦକ୍ଷେପ ଏବଂ ପରବର୍ତ୍ତୀ ସମୟରେ ପ୍ରଭାବିତ ଲୋକଙ୍କୁ ରିଲିଫ୍, କ୍ଷତିପୂରଣ ଓ ଥଇଥାନ କରାଇବା ହେଉଛି ପ୍ରକୃତ ବିପର୍ଯ୍ୟୟ ପରିଚାଳନା । ୧୯୯୯ ମସିହାର ଭୟାବହ ସୁପର ସାଇକ୍ଲୋନ୍ ଅନୁଭୂତିରୁ ଶିକ୍ଷା ଗ୍ରହଣ କରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଗଠନ କରିଥିଲା ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେଡି ସରକାରରେ ରାଜ୍ୟରେ ଶହ ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବା ସହ ପାଣିପାଗର ପୂର୍ବାନୁମାନ ଆଧାରରେ ଆଗୁଆ ସତର୍କତା ଅବଲମ୍ବନ କରି ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତର କରି ବିପର୍ଯ୍ୟୟ ମୁକାବିଲାର ରୋଲ୍ ମଡେଲ ସାଜିଥିଲା ଓଡ଼ିଶା । ଏହି ମଡେଲ ଯୋଗୁଁ ବାତ୍ୟା ସମୟରେ ଜୀବନହାନିକୁ ବ୍ୟାପକ ଭାବେ ହ୍ରାସ କରାଯାଇଥିଲା । “ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ନୀତିକୁ ଆଧାର କରି ଓଡ଼ିଶା ଯେଉଁ “ଜିରୋ କାଜୁଆଲିଟି’ ଲକ୍ଷ୍ୟ ନେଇ କାର୍ଯ୍ୟ କରିଥିଲା, ତାହା ଦେଶ ଓ ବିଦେଶରେ ଏକ ମଡେଲ୍ ଭାବେ ପରିଚୟ ହାସଲ କରିଥିଲା । ଏହା କେବଳ ଏକ ପ୍ରଶାସନିକ ସଫଳତା ନଥିଲା, ବରଂ ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାର ଏକ ଦୃଷ୍ଟାନ୍ତ ଥିଲା । ବିଜେପି ସରକାର ରାଜନୈତିକ ପ୍ରଚାର ଓ ଘୋଷଣାରେ ସୀମିତ ନରହି ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button