ଓଡିଶା

ନୂଆ ରୂପରେ କଳିଙ୍ଗ ଷ୍ଟୁଡିଓକୁ ଦେଖିବାକୁ ଭିଡ଼, ୧୫ ଦିନରେ ଅନ୍ଲାଇନ୍ ଟିକେଟ୍ ବ୍ୟବସ୍ଥା: ଛାତ୍ରଛାତ୍ରୀଙ୍କୁ ୫୦% ରିହାତି

ଭୁବନେଶ୍ୱର, ଅକ୍ଟୋବର ୨୩: ନୂଆ ରୂପରେ ସଜେଇ ହୋଇଥିବା ଅତ୍ୟାଧୁନିକ କଳିଙ୍ଗ ଷ୍ଟୁଡିଓକୁ ବୁଲି ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। ଷ୍ଟୁଡିଓର ପ୍ରବେଶ ଦ୍ୱାର ସମ୍ମୁଖରେ ଟିକେଟ୍ ପାଇଁ ଲମ୍ବା ଧାଡ଼ି ଲାଗୁଥିବା ବେଳେ ଆଖପାଖ ରାସ୍ତାରେ ଟ୍ରାଫିକ୍ ଜାମ୍ ସମସ୍ୟା ଦେଖାଦେଉଛି। ଷ୍ଟୁଡିଓ ପରିସରରେ ଥିବା ବିଭିନ୍ନ ମନୋରଞ୍ଜନ ସ୍ଥଳରେ ମଧ୍ୟ ଦର୍ଶକଙ୍କ ଭିଡ଼ ଲାଗି ରହୁଛି। ଏହି ସମସ୍ୟାର ସମାଧାନ ଓ ଦର୍ଶକଙ୍କ ସୁବିଧା ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ଅନ୍ଲାଇନ୍ ଟିକେଟ୍ ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିସହ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ଅନୁରୋଧକ୍ରମେ ଟିକେଟ୍ ମୂଲ୍ୟରେ ୫୦ ପ୍ରତିଶତ ରିହାତି ଦିଆଯିବ।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ନୂଆ ଭାବେ ଖୋଲିଥିବା ଷ୍ଟୁଡିଓକୁ ଦେଖିବା ପାଇଁ ପାର୍ବଣ ଋତୁରେ ଅଧିକ ସଂଖ୍ୟାରେ ଲୋକ ଆସୁଛନ୍ତି। ସପ୍ତାହରେ କେବଳ ସୋମବାର ଷ୍ଟୁଡିଓ ବନ୍ଦ ରହୁଥିବା ବେଳେ ଅନ୍ୟ ଦିନଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲା ରହୁଛି। ତେବେ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ମନୋରଞ୍ଜନ ବିଭାଗରେ ଅଧିକ ଭିଡ଼ ହେଉଛି। ବିଶେଷକରି ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଭିଡ଼ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ୁଛି। ଷ୍ଟୁଡିଓ ଫାଟକ ସମ୍ମୁଖରେ ଗାଡ଼ି ପାର୍କିଂ ଓ ଟିକେଟ୍ କାଉଣ୍ଟରରେ ଲମ୍ବା ଧାଡ଼ି ଯୋଗୁଁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି।

ଭିଡ଼ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ପ୍ରବେଶ ଦ୍ୱାର ସମ୍ମୁଖରେ ତିନିରୁ ଚାରି ଜଣ ସୁରକ୍ଷାକର୍ମୀ ମୁତୟନ ରହୁଛନ୍ତି। ଆଗାମୀ ଦିନରେ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ କଟକଣା ଲାଗୁ କରାଯିବ। ଓକାକ୍ ପକ୍ଷରୁ କୁଇକ୍ ହିଲ୍ ସଂସ୍ଥାକୁ ଅନ୍ଲାଇନ୍ ଟିକେଟ୍ ବ୍ୟବସ୍ଥାର ଦାୟିତ୍ୱ ଦିଆଯାଇଛି। ଏହା ଆରମ୍ଭ ହେବା ପରେ ଟିକେଟ୍ କାଉଣ୍ଟରରେ ଭିଡ଼ କମିବା ସହ ଦର୍ଶକମାନେ ଅଧିକ ସୁବିଧାରେ ଷ୍ଟୁଡିଓ ପରିଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।

ଷ୍ଟୁଡିଓର ପ୍ରମୁଖ ଆକର୍ଷଣ ମଧ୍ୟରେ ସ୍ନୋ ପାର୍କ, ମୁଭି ମ୍ୟାଜିକ୍ରେ ଥ୍ରିଡି ଚଳଚ୍ଚିତ୍ର, ଆଡ୍ଭେଞ୍ଚର ଲ୍ୟାଣ୍ଡ୍ରେ ଭୂତ ବଙ୍ଗଳା, ସଂଗ୍ରହାଳୟ ଓ ଅଭିଲେଖାଗାର ରହିଛି। ଏହି ସ୍ଥାନଗୁଡ଼ିକ ପାଇଁ ଆଗକୁ ସ୍ୱତନ୍ତ୍ର ସମୟ ନିର୍ଦ୍ଧାରଣ କରାଯିବ। ଚଳଚ୍ଚିତ୍ର ସୁଟିଂ ସମୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ସୁଟିଂ ଚାଲିଥିବା ଅଞ୍ଚଳକୁ ସାଧାରଣ ଦର୍ଶକଙ୍କ ପ୍ରବେଶ ନିଷିଦ୍ଧ ରହିବ। ଅନ୍ୟ ସ୍ଥାନଗୁଡ଼ିକରେ ଦର୍ଶକମାନେ ବୁଲିପାରିବେ। ଏଥିସହ ଦର୍ଶକଙ୍କ ସୁବିଧା ପାଇଁ ଫୁଡ୍କୋର୍ଟ ଓ ସୋଭେନିୟର୍ ଦୋକାନ ଖୋଲିବାକୁ ମଧ୍ୟ ଯୋଜନା ରହିଛି। ପ୍ରଥମ ୧୦ରୁ ୧୫ ଦିନ ମଧ୍ୟରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଅନ୍ୟପକ୍ଷରେ, କଳିଙ୍ଗ ଷ୍ଟୁଡିଓରେ ପୁଣି ଚଳଚ୍ଚିତ୍ର ସୁଟିଂ ଆରମ୍ଭ ହୋଇଥିବାରୁ ଓଡ଼ିଆ ସିନେମା ଜଗତରେ ଉତ୍ସାହ ଦେଖାଦେଇଛି। ଏଠାରେ ପୂର୍ବରୁ ଆଲ୍ବମ୍ ସୁଟିଂ ହୋଇଥିବା ବେଳେ ବର୍ତ୍ତମାନ ଚଳଚ୍ଚିତ୍ର ସୁଟିଂ ଚାଲିଛି। ଅନେକ ସିନେ ନିର୍ମାତା ଷ୍ଟୁଡିଓ ବୁକିଂ କରିଥିବା ବେଳେ ରାଜ୍ୟ ବାହାରୁ ମଧ୍ୟ ସୁଟିଂ ପାଇଁ ପ୍ରସ୍ତାବ ଆସୁଛି। ଦକ୍ଷିଣ ଭାରତର କେତେକ ନିର୍ମାତା ମଧ୍ୟ ଏଠାରେ ସୁଟିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଷ୍ଟୁଡିଓର ଭିତ୍ତିଭୂମି ପ୍ରସ୍ତୁତ ଥିବାରୁ ଆବଶ୍ୟକତା ଅନୁଯାୟୀ ସେଟ୍ ନିର୍ମାଣ କରି ସୁଟିଂ କରାଯାଇପାରିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ସୁଟିଂ ଶୁଳ୍କ ମଧ୍ୟ କମ୍ ରଖାଯାଇଛି।

ତେଲୁଗୁ ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ ଚିତ୍ରନାଟ୍ୟକାର, ସଂଳାପ ଲେଖକ ଓ ପ୍ରଯୋଜକ କୋନା ଭେଙ୍କଟ ନିକଟରେ କଳିଙ୍ଗ ଷ୍ଟୁଡିଓ ଏବଂ କୋରାପୁଟରେ ସୁଟିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତାଙ୍କ ସହ ସମ୍ପୃକ୍ତ ଥିବା ‘କମ୍ରେଡ୍ କଲ୍ୟାଣ’ ଚଳଚ୍ଚିତ୍ର ନିକଟରେ ଚର୍ଚ୍ଚାରେ ରହିଥିବାବେଳେ ସେ ୫୦ରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ ସହ ଜଡ଼ିତ ରହିଛନ୍ତି। ସେ ପୂର୍ବରୁ ଓଡ଼ିଶାରେ ଦୁଇଟି ଚଳଚ୍ଚିତ୍ରର ସୁଟିଂ କରିଥିବାବେଳେ ଆଗାମୀ ଦୁଇଟି ଚଳଚ୍ଚିତ୍ରର ସୁଟିଂ ଓ ସବ୍ସିଡି ପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ନିକଟରେ ଆବେଦନ କରିଥିବା ଜଣାପଡ଼ିଛି।

ଦୀର୍ଘ ବର୍ଷ ପରେ କଳିଙ୍ଗ ଷ୍ଟୁଡିଓରେ ପୁଣି ସୁଟିଂ ଆରମ୍ଭ ହେବାକୁ ନିର୍ମାତା, ନିର୍ଦ୍ଦେଶକ, ଟେକ୍ନିସିଆନ୍, କଳାକାର ଓ ସିନେମା ସମୀକ୍ଷକମାନେ ସ୍ୱାଗତ କରିଛନ୍ତି। କର୍ତ୍ତୃପକ୍ଷଙ୍କ ମତରେ, ନୂଆ ଷ୍ଟୁଡିଓ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆବଶ୍ୟକ ସୁବିଧା ଯୋଗାଇଦେବା ସହ ଓଡ଼ିଆ ସିନେମା ଶିଳ୍ପର ବିକାଶରେ ସହାୟକ ହେବ। ଖୁବ୍ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟର କାମ ଆରମ୍ଭ ହେବ। ଏଥିରେ ପେଟ୍ରୋଲ୍ ପମ୍ପ, ଭିଲେଜ୍ କମ୍ପ୍ଲେକ୍ସ ସମେତ ଆବଶ୍ୟକ ଆଧୁନିକ ସୁବିଧା ଓ ସ୍ଥାୟୀ ସେଟ୍ ନିର୍ମାଣ କରାଯିବାର ଯୋଜନା ରହିଛି। ଷ୍ଟୁଡିଓର ନୂଆ ଯାତ୍ରା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ନୂଆ ଦିଗ ଦେବା ସହ ରାଜ୍ୟକୁ ଅଧିକ ସୁଟିଂ ପ୍ରକଳ୍ପ ଆକର୍ଷିତ କରିବ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button