ଓଡିଶା

ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍‌, ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍‌ ହେଲା ଘାଟି ରାସ୍ତା

କନ୍ଧମାଳ, ତା.୨୪/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ଲଗାଣ ବର୍ଷାରେ କନ୍ଧମାଳର ପ୍ରମୁଖ ଯାତାୟାତ ମାର୍ଗ କଳିଙ୍ଗା ଘାଟିର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଘାଟିର ଅନ୍ଧାରକୋଟ ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ସହ ଗାର୍ଡୱାଲ୍‌ର ଏକ ବଡ଼ ଅଂଶ ପୁଣିଥରେ ଭୁଶୁଡ଼ି ପଡ଼ିଛି। ଲଗାତାର ବର୍ଷା ଯୋଗୁଁ ମାଟି ଧସିବା ପରେ ଗାର୍ଡୱାଲ୍‌ ଧୋଇଯାଇ ଭୁଶୁଡ଼ିଥିବା ଜଣାପଡ଼ିଛି। ଏହାକୁ ନେଇ ଘାଟି ରାସ୍ତାର ସୁରକ୍ଷା ଏବେ ବଡ଼ ପ୍ରଶ୍ନ ହୋଇଛି।

ବିପଦପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାତାୟାତକୁ ଉଭୟ ପାର୍ଶ୍ୱରୁ ବନ୍ଦ କରାଯାଇଥିଲା। ତେବେ ଗାର୍ଡୱାଲ୍‌ ଭୁଶୁଡ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ଘାଟି ରାସ୍ତାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍‌ କରାଯାଇଛି। ଘାଟିର ପାଦଦେଶ ରେ ପୋଲିସ ମୁତୟନ କରାଯାଇ ଯାତାୟାତ ଉପରେ କଡ଼ା ନଜର ରଖାଯାଇଛି। ସୂଚନା ଅନୁଯାୟୀ, ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ-୧୫୭ର ପ୍ରଶସ୍ତିକରଣ ଓ ସୁରକ୍ଷା କାର୍ଯ୍ୟ ଚାଲିଛି। ହେଲେ ନିର୍ମାଣାଧୀନ ରାସ୍ତା ଓ ଗାର୍ଡୱାଲ୍‌ ପୂର୍ବରୁ ମଧ୍ୟ ଦୁଇଥର ଭୁଶୁଡ଼ିଥିବା ଅଭିଯୋଗ ଥିବା ବେଳେ ଏବେ ପୁଣି ତୃତୀୟ ଥର ପାଇଁ ଧସିଛି। ଫଳରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ତଦାରଖ ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏହାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଭୁଶୁଡ଼ିଥିବା ଅଞ୍ଚଳର ସ୍ଥିତି, ରାସ୍ତାର ସୁରକ୍ଷା ଏବଂ ନିର୍ମାଣ କାର୍ଯ୍ୟରେ କୌଣସି ତ୍ରୁଟି ରହିଛି କି ନାହିଁ, ତାହା ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ, ଲଗାଣ ବର୍ଷାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ବହୁ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଖବର ମିଳିଛି। ଏଭଳି ସ୍ଥିତିରେ ରାସ୍ତା ସମ୍ପୂର୍ଣ୍ଣ ସୁରକ୍ଷିତ ନହେବା ପର୍ଯ୍ୟନ୍ତ କଳିଙ୍ଗା ଘାଟି ଦେଇ ଯାତାୟାତ ନକରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି। ଗାର୍ଡୱାଲ୍‌ ନିର୍ମାଣରେ ବାରମ୍ବାର କ୍ଷତି ଘଟୁଥିବାରୁ ଏହାର ସ୍ଥାୟୀତ୍ୱ ଓ ନିର୍ମାଣ ମାନ ନେଇ ଏବେ ନିରପେକ୍ଷ ଯାଞ୍ଚର ଆବଶ୍ୟକତା ଦାବି ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button