ଓଡିଶା

ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ ୮ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ, କୋଟିଏରୁ ଅଧିକ ସମ୍ପତ୍ତି ଠାବ

ସୁନ୍ଦରଗଡ଼, ଅକ୍ଟୋବର ୯: ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ସକାଳେ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ସହ ଜଡ଼ିତ ଆଠଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ସୁନ୍ଦରଗଡ଼ ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ତଲାସୀ ଆରମ୍ଭ ହୋଇଥିଲା।

ସୂଚନା ଅନୁଯାୟୀ, ଚଢ଼ାଉରେ ସୁନ୍ଦରଗଡ଼ସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଭୁବନେଶ୍ୱରର ବିଭିନ୍ନ ଆବାସିକ ସମ୍ପତ୍ତି ଏବଂ କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଚର୍ଚ୍ଚିକା ସାହିରେ ଥିବା ତାଙ୍କ ଶ୍ୱଶୁର ଘରେ ତଲାସୀ କରାଯାଇଛି। ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରାବଣୀ ରେସିଡେନ୍ସିରେ ଥିବା ପ୍ରାୟ ୧୧୫୦ ବର୍ଗଫୁଟର ଏକ ତିନି ବଖରା ବିଶିଷ୍ଟ ଫ୍ଲାଟ୍ ସହ ବାଲିଅନ୍ତାରେ ପ୍ରାୟ ୩୦୦୦ ବର୍ଗଫୁଟର ଦୁଇମହଲା କୋଠା ଠାବ ହୋଇଛି।

ଏହାବ୍ୟତୀତ ମଞ୍ଚନାଥ ଅଞ୍ଚଳର ଫେଜ୍-୨ରେ ଥିବା ଏମ୍-୧୦୫, ଏମ୍-୧୧୦ ଓ ଏମ୍-୧୧୫ ନମ୍ବରର ତିନୋଟି ଦୁଇମହଲା ଆବାସିକ କୋଠା ସମ୍ପର୍କରେ ମଧ୍ୟ ତଦନ୍ତ କରାଯାଉଛି। ପ୍ରତ୍ୟେକ କୋଠାର କ୍ଷେତ୍ରଫଳ ପ୍ରାୟ ୨୪୦୦ ବର୍ଗଫୁଟ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରେ ପ୍ରାୟ ଏକ କୋଟି ଟଙ୍କାର ଦଲିଲ ମୂଲ୍ୟ ଥିବା ସାତଟି ମୂଲ୍ୟବାନ ପ୍ଲଟ୍ର ସନ୍ଧାନ ମିଳିଛି। ଏହି ପ୍ଲଟ୍ଗୁଡ଼ିକର ବଜାର ମୂଲ୍ୟ ଆହୁରି ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି।

ଚଢ଼ାଉ ସମୟରେ ୨୧୧ ଗ୍ରାମ ସୁନା, ନଗଦ ୧ ଲକ୍ଷ ୨୯ ହଜାର ଟଙ୍କା, ପ୍ରାୟ ଏକ କୋଟି ଟଙ୍କାର ବ୍ୟାଙ୍କ ଜମା ଏବଂ ତିନୋଟି ଦୁଇଚକିଆ ଯାନ ଠାବ କରାଯାଇଛି। ଏହି ସମ୍ପତ୍ତିଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣ ଓ ଆୟର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

ଏହି ଅଭିଯାନରେ ଜଣେ ଅତିରିକ୍ତ ଏସ୍ପି, ଚାରିଜଣ ଡିଏସ୍ପି, ୧୩ ଜଣ ଇନ୍ସପେକ୍ଟର, ପାଞ୍ଚଜଣ ଏଏସ୍ଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀ ସାମିଲ ହୋଇଛନ୍ତି। ଖବର ଲେଖା ହେବା ବେଳକୁ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରହିଥିଲା। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ସମ୍ପତ୍ତିର ମୋଟ ମୂଲ୍ୟ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button