ଯାଜପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର: ୧୦ ବ୍ଲକର ୨୮୪,୫୭୮ ଜଣ ପ୍ରଭାବିତ, ୭୭,୬୮୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଯାଜପୁର, ତା ୧୭.୦୮.୨୦୨୬ ରିଖ: ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ବିଶେଷ କରି କାଣୀ ଓ ବୈତରଣୀ ନଦୀର ଘାଇ ଭାଙ୍ଗି ଜଳପ୍ରବାହ ହେବା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ଆପାତକାଳୀନ ପରିଚାଳନା କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଜିଲ୍ଲାର ୧୦ଟି ବ୍ଲକ (ଦଶରଥପୁର, ଯାଜପୁର, କୋରେଇ, ବିଞ୍ଝାରପୁର, ଧର୍ମଶାଳା, ରସୁଲପୁର, ବଡ଼ଚଣା, ବରୀ, ଦାନଗଦୀ ଓ ସୁକିନ୍ଦା), ୧୧୭ଟି ଗ୍ରାମ ପଞ୍ଚାୟତ/ପୌରାଞ୍ଚଳ ଏବଂ ୨୭୦ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଏହି ବନ୍ୟା ଯୋଗୁଁ ଜିଲ୍ଲାର ସମୁଦାୟ ୨,୮୪,୫୭୮ ଜଣ ଜନସଂଖ୍ୟା ପ୍ରଭାବିତ ହୋଇଥିବା ବେଳେ ୯୫,୪୫୭ ଜଣ ଲୋକ ବନ୍ୟା ଜଳଘେରରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ୭୭,୬୮୦ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୨୦୩ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ୧୯୫ଟି ମାଗଣା କିଚେନ ସେଣ୍ଟର (Free Kitchens) ଜରିଆରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହାବାଦ ୫୬୫ କ୍ୱିଣ୍ଟାଲ ଛୁଡ଼ା, ୫୬.୫ କ୍ୱିଣ୍ଟାଲ ଗୁଡ଼ ଏବଂ ୨୩୫ ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି।

ଅନ୍ୟପଟେ ୧୮,୬୪୨ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ୯୮,୫୫୪ ପ୍ରାଣୀସମ୍ପଦ ପ୍ରଭାବିତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନି ଘଟିନଥିବା ସୂଚନା ମିଳିଛି । ନଦୀର ବନ୍ଧ ଭାଙ୍ଗିବା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଦଶରଥପୁର ବ୍ଲକର ତରପଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟଣା ଗ୍ରାମ ନିକଟରେ କାଣୀ ନଦୀର ଘାଇ ଏବଂ ବିଞ୍ଝାରପୁର ବ୍ଲକର ଜରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନଉବାଙ୍କ ଗ୍ରାମ ନିକଟରେ ବୈତରଣୀ ନଦୀର ଘାଇ ଦେଇ ପ୍ରବଳ ବନ୍ୟାଜଳ ପ୍ରବେଶ କରୁଛି। ପ୍ରଶାସନ ପକ୍ଷରୁ ଦଶରଥପୁର ଓ ବରୀ ବ୍ଲକ ଉପରେ କଡ଼ା ନଜର ରଖାଯାଇଛି। ବନ୍ୟା ଯୋଗୁଁ ୧୪୧ଟି ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ୬୮ଟି ଗ୍ରାମୀଣ ରାସ୍ତା, ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି।

ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୩ଟି ODRAF, ୨ଟି NDRF, ୧୨ଟି ଅଗ୍ନିଶମ ବାହିନୀ ଏବଂ ୧୨ଟି ପୋଲିସ/ସିଭିଲ ଡିଫେନ୍ସ ଟିମ୍ ମୋତୟନ କରାଯାଇଛି। ୧୪ଟି ବିଶେଷ ଡଙ୍ଗା ମାଧ୍ୟମରେ ୩୭୮ ଜଣଙ୍କୁ ଜଳବନ୍ଦୀ ଅଞ୍ଚଳରୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୩୮ ଜଣଙ୍କୁ ଆପାତକାଳୀନ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୧୨ଟି ମେଡିକାଲ ଟିମ୍ ଓ ୧୨ଟି ଭେଟେରିନାରୀ ଟିମ୍ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଆପାତକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ୨୪ ଘଣ୍ଟିଆ ସ୍ଥିତି ଉପରେ ନଜର ରଖାଯାଇଛି।



