କ୍ରୀଡା

ଆଇପିଏଲ୍ ପୁଣି ଆରମ୍ଭ ସମ୍ଭାବନା

ଭାରତ-ପାକିସ୍ତାନ ମଧ୍ୟ‌ରେ ଅସ୍ତ୍ରବିରତି ନେଇ ବୁଝାମଣା ହେବା ପରେ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ଥିବା ଆଇପିଏଲ୍ ପୁଣି ଥରେ ଆରମ୍ଭ ହେବାର ଆଶା ସଂଚାର ହୋଇଛି। ବିସିସିଆଇ କିନ୍ତୁ ପରିସ୍ଥିତିକୁ ପୂରା ଅନୁଧ୍ୟାନ କରି ଏବଂ ଖେଳାଳି, ଅଧିକାରୀ ଓ ସର୍ବୋପରି ପ୍ରଶଂସକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ତ୍ବରିତ ଏହି ଦିଗରେ କୌଣସି ନିଷ୍ପତ୍ତି ନେବାର ସମ୍ଭାବନା କମ୍ ରହିଛି। ପୁଣି ବିସିସିଆଇ ଓ ଆଇସିସିକୁ ମିଳିତ ଭାବେ ଏଥିଲାଗି ପରବର୍ତ୍ତୀ ସମୟ ବାଛିବାର ବଡ଼ ନିଷ୍ପତ୍ତି କିଛି ଦିନ ଭିତରେ ହିଁ ନେବାକୁ ହେବ। କାରଣ ଯଦି ସପ୍ତାହକ ଭିତରେ ଆଇପିଏଲ୍ ଆରମ୍ଭ ହୋଇଯାଏ, ତାହେଲେ ଆଇସିସିର ଅନ୍ତର୍ଜାତୀୟ ସୂଚୀ ବିଶେଷ ପ୍ରଭାବିତ ହେବନି।  ବିଳମ୍ବିତ ହେଲେ କିନ୍ତୁ କିଛି ଦ୍ବିପାକ୍ଷିକ ଶୃଙ୍ଖଳା ଏବଂ ସୁରକ୍ଷାର ଦ୍ବାହି ଦେଇ ଏକାଧିକ ବିଦେଶୀ ଖେଳାଳି ଭାରତକୁ ଫେରିବା ହୁଏତ କଷ୍ଟକର ହେବ। ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଜୁନ୍ ମାସରେ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟିକିଆ ଟେଷ୍ଟ୍ ‌ଶୃଙ୍ଖଳା ଖେଳିବାକୁ ଯିବ।

ଏଣୁ ଏହା ପୂର୍ବରୁ ଆଇପିଏଲ୍‌ ପାଇଁ ପୁନର୍ବାର ସମୟ ବାହାର କରିବା ନେଇ ବିସିସିଆଇ ଢେର ସମସ୍ୟାର ସମ୍ମୁଖୀନ ହୋଇପାରେ। ମହତ୍ତ୍ବପୂର୍ଣ୍ଣ କଥା ହେଲା ଏହି ଶୃଙ୍ଖଳାରୁ ଭାରତ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ୨୦୨୫-୨୭ ଚକ୍ର ଆରମ୍ଭ କରିବ। ଯାହା ଭାରତ ପାଇଁ ବେଶ ଗୁରୁତ୍ବ ବହନ କରିବ। କୋଭିଡ୍ ସମୟ‌ରେ ବିସିସିଆଇ ଅଧାରୁ ବନ୍ଦ ହୋଇ ପୁଣି ୟୁଏଇରେ ଆରମ୍ଭ ହେବା (୨୦୨୧) ଏବଂ ଦକ୍ଷିଣ ଆଫ୍ରିକାରେ ଗୋଟିଏ ସଂପୂର୍ଣ୍ଣ ଋତୁ (୨୦୦୯)ଆୟୋଜନ କରିବାର ଅଭିଜ୍ଞତା ବିସିସିଆଇର ଥିବାରୁ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ନିକଟ ଭବିଷ୍ୟତରେ ଦେଶ ଭିତରେ କିମ୍ବା ବାହାରେ ଆୟୋଜନ କରିବା ଲାଗି ବିସିସିଆ‌ଇ ବିଶେଷ ଅସୁବିଧାର ସମ୍ମୁ୍‌ଖୀନ ହେବନି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ୧୨ ତାରିଖରେ ଅସ୍ତ୍ରବିରତି ନେଇ ଭାରତ ଓ ପାକିସ୍ତାନର ଡିଜିଏମ୍‌ଓ କଥା ହେବାର ଅଛି। ସେପର୍ଯ୍ୟନ୍ତ ବିସିସିଆଇ କୌଣସି ନିଷ୍ପତ୍ତି ନେବ ନାହିଁ ବୋଲି ଏହାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଭିନ୍ନ ଷ୍ଟାଡିୟମ୍ ପରିବର୍ତ୍ତେ ଗୋଟିଏ କିମ୍ବା ଦୁଇଟି ଷ୍ଟାଡିୟମ୍‌ରେ ଆଇପିଏଲ୍‌ର ଦ୍ବିତୀୟ ପର୍ଯ୍ୟାୟ ଖେଳାଯାଇପା‌ରେ ବୋଲି ସୂଚନା ଦେଇଛନ୍ତି ସେ।

ଆୟୋଜନ ପାଇଁ ଇଂଲଣ୍ଡ ଆଗ୍ରହୀ
ବିସିସିଆଇ ଘରୋଇ ପରିବେଶରେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ଆୟୋଜନ କରିବାର ସପକ୍ଷରେ ଥିଲା ବେଳେ ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ୍ ବୋର୍ଡ (ଇସିବି) ଏଥିନେଇ ଶନିବାର ଆଗ୍ରହ ପ୍ରକାଶ କରଛି। ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ରିଚାର୍ଡ ଗୁଲ୍‌ଡ କହିଛନ୍ତି, ଆମେ ଆଇପିଏଲ୍‌ର ପରବର୍ତ୍ତୀ ମ୍ୟାଚ୍‌ ଆୟୋଜନ କରିପାରିବୁ। ଏଥିନେଇ ଆମେ ଯଥାସମ୍ଭବ ଆମ ବନ୍ଧୁ (ବିସିସିଆଇ)ଙ୍କୁ ସହାୟତା କରିବୁ। ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ମଧ୍ୟ ଇଂଲଣ୍ଡରେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍ କରିବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଆମ ପାଖରେ ଷ୍ଟାଡିୟମ୍ ସହ ସବୁ ସୁବିଧା ରହିଛି। ଭାରତୀୟ ଖେଳାଳିମାନେ ଏଠାରେ ଆଇପିଏଲ୍ ଖେଳିବା ପରେ ଟେଷ୍ଟ୍ ଶୃଙ୍ଖଳା ଲାଗି ଏଠ‌ାରେ ରହିପାରିବେ। ଅନ୍ୟଜଣେ କ୍ରିକେଟର୍ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ସେପ୍ଟେମ୍ବର ମାସରେ ଆୟୋଜନ କରିବାକୁ କହିଛନ୍ତି। ସେପ୍ଟେମ୍ବରରେ ଏସିଆ କପ୍ ଖେଳାଯିବାର ଅଛି। ହେଲେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଛକାପଞ୍ଝା ପାଇଁ ଏହି ପ୍ରତିଯୋଗିତା ବାତିଲ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ ଏହି ସମୟକୁ ଆଇପିଏଲ୍ ପାଇଁ ଉପଯୋଗ କରାଯାଇପାରେ ବୋଲି କହିଛନ୍ତି ସେ। ଭନ୍ ମଧ୍ୟ ସେପ୍ଟେମ୍ବରରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳା ପରେ ଇଂଲଣ୍ଡରେ ଆୟୋଜିତ ହୋଇପାରେ ବୋଲି ମତ ପ୍ରକାଶ କରିଛନ୍ତି। ସେପଟେ ଫ୍ରାଞ୍ଚାଇଜଙ୍କ ସହ ଆଲୋଚନା ପରେ ହିଁ ଆଇପିଏଲ୍-୨୦୨୫କୁ ସ୍ଥଗିତ ରଖାଯାଇଥିବା ବିସିସିଆଇ ସଂପାଦକ ଦେବଜିତ ସାଇକିଆ ଏକ ସାକ୍ଷାତକାରର ପ୍ରକାଶ କରିଛନ୍ତି।

ବିସିସିଆଇ ସଂକ୍ଷିପ୍ତ ତାଲିକାରେ ୩ ସହର
ଆଇପିଏଲ୍‌-୧୮ର ଅବଶିଷ୍ଟ ୧୬ ମ୍ୟାଚ୍‌ର ଆୟୋଜନ ବେଙ୍ଗାଲୁରୁ, ଚେନ୍ନାଇ ଓ ହାଇଦ୍ରାବାଦରେ ହୋଇପାରେ। ଭାରତ ସରକାରଙ୍କ ସବୁଜ ସଙ୍କେତ ପରେ ଯାଇ କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏଭଳି ଚର୍ଚ୍ଚା ଭାରତୀୟ କ୍ରିକେଟ୍ ଜଗତରେ ଆରମ୍ଭ ହୋଇଛି। ସେହିଭଳି ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଏବେ ନୁହେଁ ବରଂ ବର୍ଷ ଶେଷ ଆଡ଼କୁ ଖେଳାଯିବାର ସମ୍ଭାବନା ଅଧିକ ରହିଛି। ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପାଇଁ ବିଦେଶୀ ଖେଳାଳିଙ୍କୁ ଆସନ୍ତା କିଛି ଦିନ ଭିତରେ ଭାରତ ଫେରାଇ ଆଣିବା ବିସିସିଆଇ ପାଇଁ ମସ୍ତବଡ଼ ଚ୍ୟା‌ଲେଞ୍ଜ୍ ହେବ। ଏଣୁ କିଛି ଦିନ ପରେ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ବିସିସିଆଇ ନୀତିଗତ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯେ ଆଇପିଏଲ୍‌ ଚଳିତ ମେ ୨୫ ତାରିଖରେ ଶେଷ ହେବାର ଥିଲା। କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଫାଇନାଲ୍ ଖେଳାଯାଇଥା’ନ୍ତା। ଲିଗ୍ ପର୍ଯ୍ୟାୟର ୫୭ଟି ମ୍ୟାଚ୍ ଶେଷ ହୋଇଥିଲା ବେଳେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଧର୍ମଶାଳାରେ ଖେଳାଯିବାକୁ ଥିବା ମ୍ୟାଚ୍ ୧୦.୧ ଓଭର ପରେ ବାତିଲ ହୋଇଯାଇଥିଲା।

କ୍ଷତି ସହିବେନି ଖେଳାଳି
ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ଖେଳାଯାଉ କି ନଯାଉ ଖେଳାଳିମାନେ କିନ୍ତୁ କୌଣସି ଭାବେ କ୍ଷତି ସହିବେନି। ବିସିସିଆଇ ଓ ଫ୍ରାଞ୍ଚାଇଜ ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବେ। ତେବେ ଆଇପିଏଲ୍ ସହ ଜଡ଼ିତ ଥିବା ଛୋଟଛୋଟ ବ୍ୟବସାୟୀ, ଖାଦ୍ୟ ଯୋଗାଣକାରୀ, ସେବା ପ୍ରଦାନକାରୀ ସଂସ୍ଥ‌ା ଆଦି ବହୁ କ୍ଷତି ସହିବେ। ବିସିସିଆଇ ମଧ୍ୟ ପାଖାପାଖି ୧୯୦୦ କୋଟି ଟଙ୍କାର ରାଜସ୍ବ ହରାଇବ। ଆଇପିଏଲ୍‌ର ମ୍ୟାଚ୍ ଆୟୋଜନ କରିବାର ଅଧିକାର ପାଇଥିବା ବିଭିନ୍ନ ରାଜ୍ୟ ସଂଘ କିନ୍ତୁ ଟିକେଟ୍ ବିକ୍ରି ଏବଂ ଅନ୍ୟାନ୍ୟ ସ୍ରୋତରୁ ପାଇବାକୁ ଥିବା ରାଜସ୍ବ ହରାଇବେ। ଯଦି ଅବଶି‌ଷ୍ଟ ମ୍ୟାଚ୍‌ ଆୟୋଜନ ‌ହୋଇଯାଏ, ତାହେଲେ ସମସ୍ତେ ଲାଭବାନ ହେବେ।

Related Articles

Leave a Reply

Your email address will not be published. Required fields are marked *

Back to top button