ନାବାଳିକାର ଗଳିତ ଶବ ଉଦ୍ଧାର।ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ମୁଖ୍ୟ ଅଭିଯୁକ୍ତ ଗିରଫ

ଜଳେଶ୍ୱର ( ଦେବାଶିଷ ଦାଶ ) ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପୋ ଫାଣ୍ଡି ଅଞ୍ଚଳରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି।୧୪ ବର୍ଷୀୟା ଏକ ନାବାଳିକାର ଗଳିତ ଶବ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି।ଦୁଷ୍କର୍ମ ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଥିବା ନେଇ ପରିବାରବର୍ଗ ଓ ସ୍ଥାନୀୟ ଗ୍ରାମବାସୀ ସାଂଘାତିକ ଅଭିଯୋଗ ଆଣିଛନ୍ତି।ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।ମିଳିଥିବା ସୂଚନା ଅନୁସାରେ ଖୁଲୁଡ଼ା ପଞ୍ଚାୟତ ଅଧୀନ ଗୌରୀବେଲଦା ଗ୍ରାମର ଦୀପିକା ଜେନା(୧୪) ଗତ ଅକ୍ଟୋବର ୧୬ ତାରିଖରୁ ରହସ୍ୟଜନକ ଭାବେ ନିଖୋଜ ଥିଲେ।ଏନେଇ ପରିବାର ପକ୍ଷରୁ ଜଳେଶ୍ୱର ଥାନାରେ ଏକ ମାମଲା ରୁଜୁ କରା ଯାଇଥିଲା।ସୁଲତାନପୁର ଗ୍ରାମର ଚନ୍ଦ୍ରକାନ୍ତ ଜେନା (୨୨) ନାବାଳିକାଙ୍କୁ ଅପହରଣ କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ସକାଳେ ବର୍ତନା ପଞ୍ଚାୟତର ଶୁଳଶଣ୍ଡା ଓ ବର୍ତନା ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ଥିବା ଢେରାପଦା ନାମକ ଏକ ପଦା ଗଛ ନିକଟରୁ ଏକ ଗଳିତ ଶବ ଦେଖିବାକୁ ପାଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରୁ ଏକ ବାଇକ୍ ଚାବି ଓ ନାବାଳିକାଙ୍କ ଜୋତା ଜବତ କରାଯାଇଛି।
ପରିବାର ଏବଂ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନାବାଳିକାଙ୍କୁ ପ୍ରଥମେ ଗଣଦୁଷ୍କର୍ମ କରାଯାଇ ପରେ ଓଢଣି ସାହାଯ୍ୟରେ ଶ୍ୱାସରୋଧ କରି ହତ୍ୟା କରା ଯାଇଛି।ଦୁର୍ଗନ୍ଧରୁ ରକ୍ଷା ପାଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ଶବର କିଛି ଅଂଶ ପୋଡ଼ି ଦିଆଯାଇଥିବା ନେଇ ମଧ୍ୟ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି।ନାବାଳିକାଙ୍କୁ ନ୍ୟାୟ ଦାବି କରି ଉତ୍ତ୍ୟକ୍ତ ଗ୍ରାମବାସୀ ବଡ଼ନଗର-ଜଳେଶ୍ୱର ଏବଂ ବଡ଼ନଗର-ପଶ୍ଚିମବାର୍ଡ ମୁଖ୍ୟ ରାସ୍ତା ଅବରୋଧ କରି ଟାୟାର ଜାଳିଥିଲେ।ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅତିରିକ୍ତ ଏସ୍.ପି. ପରେଶ ରାଉତ୍, ଡି.ଏସ୍.ପି.ତପସ୍ୱିନୀ କହଁର, ଏସ୍.ଡି.ପି.ଓ. ସୁରେଶ ତ୍ରିପାଠୀ, ଜଳେଶ୍ୱର ଆଇଆଇସି ଅଶୋକ କୁମାର ବାରିକ, ଭୋଗରାଇ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ସରୋଜ ନାୟକ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ତଦନ୍ତ ଜୋରଦାର କରିଛନ୍ତି।ଜଳେଶ୍ୱର ପୋଲିସ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରକାନ୍ତଙ୍କୁ ଅଟକ ରଖି ପଚରାଉଚରା ଜାତି ରଖିଛି।ଏହି ଜଘନ୍ୟ ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏବଂ ମୃତ୍ୟୁର ପ୍ରକୃତ କାରଣ କଣ, ସେ ସମ୍ପୂର୍ଣ୍ଣ ତଥ୍ୟ ପୋଲିସର ପୂରା ତଦନ୍ତ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ।



