ଓଡିଶା

ନୀଳଗିରିରେ ୪୨ତମ ରାବଣ ପୋଡ଼ି ଉତ୍ସବରେ ଜନସମୁଦ୍ର, ଅସତ୍ୟ ନିକଟରେ ସତ୍ୟର ବିଜୟ

ନୀଳଗିରି ( ଦେବାଶିଷ ଦାଶ )ବିଜୟା ଦଶମୀ ଅବସରରେ ନୀଳଗିରି ଥାନା ପଡିଆ ପରିସରରେ ୪୨ତମ ରାବଣ ପୋଡ଼ି ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ରାବଣ ପୋଡ଼ି ଉତ୍ସବ ପାଲଟିଥିଲା ଜନସମୁଦ୍ର । ପ୍ରାୟ ୩-୪ ଘଣ୍ଟା ଧରି ଜନତା ଏହି ଉତ୍ସବକୁ ଉପଭୋଗ କରିଥିଲେ। ଦୀର୍ଘ ବର୍ଷ ଧରି ନୀଳଗିରିର ପୂର୍ବତନ ବିଧାୟକ ସ୍ୱର୍ଗତ ଅକ୍ଷୟ କୁମାର ଆଚାର୍ଯ୍ୟ ଏହି ଉତ୍ସବ କରି ଆସୁଥିବା ବେଳେ ଗତବର୍ଷ ତାଙ୍କର ଦେହାନ୍ତ ହୋଇଥିଲା । ବାପାଙ୍କ ସ୍ମୃତିକୁ ବଜାୟ ରଖିବା ପାଇଁ ତାଙ୍କ ଯୋଗ୍ୟ ପୁତ୍ର ଦିବ୍ୟଜ୍ୟୋତି ଆଚାର୍ଯ୍ୟ ନୀଳଗିରିବାସୀଙ୍କ ସହଯୋଗ ଲୋଡ଼ିଥିଲେ । ଶେଷରେ ନୀଳଗିରିର ଉଦୀୟମାନ ଯୁବ ଗୋଷ୍ଠୀ ଏକତ୍ରିତ ହୋଇ ଚଳିତ ବର୍ଷ ଧୁମଧାମରେ ଏହି ଉତ୍ସବ ପାଳନ କରିଛନ୍ତି । ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ମଞ୍ଚାସୀନ ରହି କହିଥିଲେ, ଦୀର୍ଘ ୪୧ ବର୍ଷ ଧରି ସ୍ୱର୍ଗତ ଅକ୍ଷୟ କୁମାର ଆଚାର୍ଯ୍ୟ ଏହି ଉତ୍ସବ ପାଳନ କରି ଆସୁଥିବା ବେଳେ ତାଙ୍କ ସୁପୁତ୍ର ସମସ୍ତଙ୍କ ସହଯୋଗରେ ଚିତ୍ତାକର୍ଷକ ଭାବେ ଏହି ଉତ୍ସବ କରୁଥିବାରୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଜିର ସମାଜରେ ଅନେକ ରାବଣ ରୂପୀ ମଣିଷ ରହିଥିବା ବେଳେ ନିଜକୁ ରାମ ବୋଲାଉଥିବା କୁଚକ୍ରୀମାନେ ଠିକ୍ ଏହି ରାବଣ ଭଳି ପୋଡ଼ି ପାଉଁଶ ହୋଇଯିବେ ବୋଲି ସେ ପ୍ରକାଶ କରିବା ସହ ଯେତେଦିନ ପର୍ଯ୍ୟନ୍ତ ଏହି ଉତ୍ସବ ହେବ ସେତେଦିନ ପର୍ଯ୍ୟନ୍ତ ସାଥିରେ ରହିବେ ବୋଲି କହିଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲାପାଳ ତଥା ନୀଳଗିରି ମାଟିର ଯୋଗ୍ୟ ସନ୍ତାନ ସରୋଜ କୁମାର ସେଠୀ ମଞ୍ଚାସୀନ ରହି ଏଭଳି ଉତ୍ସବକୁ ଭୂୟସୀ ପ୍ରଶଂସା କରିବା ସହ ସବୁଦିନ ମୋର ସହଯୋଗ ରହିବ ବୋଲି ପ୍ରକାଶ

କରିଥିଲେ । କମିଟିର ସମ୍ପାଦକ ଉଦୟ ଜ୍ୟୋତି ମହାନ୍ତି, ସଦସ୍ୟ ସଦାଶିବ ରଥ, ରଶ୍ମିରଞ୍ଜନ ରାଉତ, ବିଶ୍ୱନାଥ ଦାସ ଓ ସଭାପତି ଦିବ୍ୟଜ୍ୟୋତି ଆଚାର୍ଯ୍ୟ ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଶ୍ୱନାଥ ଦାସ ନିଜ ଅଭିଭାଷଣରେ କହିଥିଲେ, ଏହି ୪୨ତମ ରାବଣ ପୋଡ଼ି ଉତ୍ସବକୁ ଭଣ୍ଡୁର କରିବା ପାଇଁ ବିରୋଧୀ ଗୋଷ୍ଠୀ ସମସ୍ତ ରଣକୌଶଳ ପ୍ରୟୋଗ କରୁଥିଲେ ମଧ୍ୟ ତାହା ବିଫଳ ହୋଇଛି । ପରେ ମୁଖ୍ୟ ଅତିଥି ସରୋଜ କୁମାର ସେଠୀ ରାବଣ ଦେହରେ ଅଗ୍ନି ସଂଯୋଗ କରି ରାବଣ ବଧ କରିଥିଲେ । ଆତସବାଜି ଶବ୍ଦରେ ଥାନା ପଡିଆ ଥରି ଉଠିଥିଲା । ପାଖାପାଖି ୨୫ ହଜାରରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button