ଓଡିଶା

ମହାନଦୀ ବନ୍ୟାଜଳରେ ଦୁଇ ପରିବାର ଶିଶୁଙ୍କ ସମେତ ୭ ଜଣ ସୁରକ୍ଷିତ ଉଦ୍ଧାର

 ସୁବର୍ଣ୍ଣପୁର, ୨୯/୦୭ ସୋନପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ କଇଁତରା ପଞ୍ଚାୟତର ଘଣ୍ଟୋପାଲି ଗାଁ ନିକଟରେ ଏକ ବଡ଼ଧରଣର ଦୁର୍ଘଟଣା ଟଳିଯାଇଛି। ମହାନଦୀର ହଠାତ୍ ମାଡ଼ିଆସିଥିବା ବନ୍ୟାଜଳରେ ଫସି ରହିଥିବା ଦୁଇ ଶିଶୁ ସମେତ ୭ ଜଣ ଶ୍ରମିକଙ୍କୁ ବିନିକା ଅଗ୍ନୀଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସମୟୋଚିତ ପଦକ୍ଷେପ ଏବଂ ସାହସିକତା ଯୋଗୁଁ ଏକ ବଡ଼ ଜୀବନକ୍ଷତିରୁ ରକ୍ଷା ମିଳିପାରିଛି।

 

ମିଳିଥିବା ସୂଚନା ଅନୁସାରେ, ଘଣ୍ଚୋପାଲି ଗାଁ ନିକଟସ୍ଥ ମହାନଦୀ କୂଳରେ ଜଣେ ବ୍ୟକ୍ତି ପାମ ଅଏଲ (ପାମ ଜାତୀୟ ଫସଲ) ଚାଷ କରିଛନ୍ତି। ସେଠାରେ ଦୁଇଟି ପରିବାରର ଲୋକେ ରହି କୃଷି କାର୍ଯ୍ୟ ଏବଂ ଶ୍ରମିକ ଭାବରେ କାମ କରୁଥିଲେ। ଗତକାଲି ରାତିରେ ପ୍ରବଳ ବର୍ଷା ହେବା କାରଣରୁ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା। ରାତିରେ ସମସ୍ତେ ଗଭୀର ନିଦରେ ଥିବାରୁ ପାଣି ମାଡ଼ିଆସୁଥିବା କଥା ସେମାନେ ଜାଣିପାରି ନଥିଲେ ।

ଆଜି ସକାଳୁ ଯେତେବେଳେ ପରିବାରର ଲୋକେ ନିଦରୁ ଉଠିଲେ, ସେତେବେଳେ ସେମାନେ ଚାରିଆଡ଼ୁ ମହାନଦୀର ବନ୍ୟାଜଳ ଦ୍ୱାରା ସମ୍ପୂର୍ଣ୍ଣ ଘେରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ବାହାରକୁ ବାହାରିବାର କୌଣସି ଉପାୟ ନଥିବାରୁ ଭୟଭୀତ ହୋଇ ପଡ଼ିଥିଲେ ଏବଂ ତୁରନ୍ତ ଗ୍ରାମବାସୀଙ୍କୁ ଯୋଗାଯୋଗ କରି ସହାୟତା ଭିକ୍ଷା କରିଥିଲେ ।

 

ଗ୍ରାମବାସୀମାନେ ଘଟଣାର ଗମ୍ଭୀରତାକୁ ବୁଝି ବିଳମ୍ବ ନକରି ତୁରନ୍ତ ଜରୁରୀକାଳୀନ ସେବା ନମ୍ବର ୧୧୨ କୁ କଲ୍ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

ସୂଚନା ପାଇବାକ୍ଷଣି ବିନିକା ଅଗ୍ନୀଶମ ବାହିନୀର ଏକ ଟିମ୍ ଦ୍ରୁତ ଗତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଅଗ୍ନୀଶମ କର୍ମଚାରୀମାନେ ଡଙ୍ଗା ସାହାଯ୍ୟରେ ସେହି ବନ୍ୟାଜଳରେ ଫସିରହିଥିବା ୨ ଜଣ ଶିଶୁଙ୍କୁ ମିଶାଇ ମୋଟ ୭ ଜଣଙ୍କୁ ଅତ୍ୟନ୍ତ କୁଶଳତାର ସହ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିଆଣିଥିଲେ।

ଅଗ୍ନୀଶମ ବାହିନୀର ଏଭଳି ତତ୍ପରତା ଓ ସାହସିକତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି । ଗ୍ରାମବାସୀ ଏବଂ ଉଦ୍ଧାର ହୋଇଥିବା ପରିବାର ପ୍ରଶାସନ ଓ ଅଗ୍ନୀଶମ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button