ବିଦ୍ୟାଳୟ ର ନବେ ବର୍ଷ ଉପଲକ୍ଷେ ପାଠ୍ୟ ପୁସ୍ତକ ବଣ୍ଟନ

ଧର୍ମଶାଳା: ଶିକ୍ଷାର ଆଲୋକ ବିସ୍ତାର ସହ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଜିପିର ଇମାମନଗରସ୍ଥିତ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟରେ ପୁରାତନ ଛାତ୍ରମାନେ ଏକ ନିଆରା ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟର ୯୦ ବର୍ଷ ପୂର୍ତ୍ତି ଅବସରରେ ପୁରାତନ ଛାତ୍ର ଦେବବ୍ରତ ରାଉତ ଓ ସ୍ଥାନୀୟ ସରପଞ୍ଚ ତଥା ପୁରାତନ ଛାତ୍ର ତ୍ରିଲୋଚନ ଜେନା ମିଳିତ ଭାବେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପଯୋଗୀ ପୁସ୍ତକ ଓ ସାମଗ୍ରୀ ବଣ୍ଟନ କରିଥିଲେ।
ଓଡ଼ିଆ ଭାଷାର ଜ୍ଞାନକୁ ସୁଦୃଢ଼ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ‘ବର୍ଣ୍ଣବୋଧ’, ଇଂରାଜୀ ଭାଷା ଶିକ୍ଷାକୁ ସହଜ କରିବା ପାଇଁ ‘ଟେନ୍ସ ଚାର୍ଟ’ ଏବଂ ମହାପୁରୁଷମାନଙ୍କ ଜୀବନ ଓ ଆଦର୍ଶ ସମ୍ପର୍କରେ ଜାଣିବା ପାଇଁ ଆତ୍ମଜୀବନୀ ପୁସ୍ତକ ପ୍ରଦାନ କରାଯାଇଥିଲା। ପୁରାତନ ଛାତ୍ରଙ୍କ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, ଇଂରେଜ ଶାସନ ସମୟର ରେକର୍ଡ ଅନୁଯାୟୀ ଏହି ବିଦ୍ୟାଳୟ ୧୯୩୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ତେବେ ଏହାର ପୂର୍ବରୁ ଏହି ଶିକ୍ଷାନୁଷ୍ଠାନ ‘ଚାଟଶାଳୀ’ ବିଦ୍ୟାଳୟ ଭାବେ ପରିଚିତ ଥିବା ଜଣାପଡ଼ିଛି। ଦୀର୍ଘ ନଅ ଦଶନ୍ଧି ଧରି ଅଞ୍ଚଳର ଅନେକ ପିଢ଼ିକୁ ଶିକ୍ଷାଦାନ କରିଆସୁଥିବା ଏହି ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର ଏକ ପୁରାତନ ଶିକ୍ଷାକେନ୍ଦ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ସାମଲ ଯୋଗଦେଇ ପୁରାତନ ଛାତ୍ରମାନଙ୍କ ଏଭଳି ଶିକ୍ଷାମୂଳକ ଓ ସମାଜମଙ୍ଗଳ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ପୁରାତନ ଛାତ୍ରଙ୍କ ଏହି ପଦକ୍ଷେପ ବିଦ୍ୟାଳୟ ସହ ତାଙ୍କର ଭାବନାତ୍ମକ ସମ୍ପର୍କକୁ ଦର୍ଶାଇବା ସହ ଆଗାମୀ ପିଢ଼ିର ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବାରେ ନିଶ୍ଚିତ ଭାବେ ସହାୟକ ହେବ।



