ଜିଲ୍ଲା ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ ସୁବର୍ଣ୍ଣପୁରରେ ଦେଶପ୍ରେମର ଅପୂର୍ବ ସମାରୋହ

ସୁବର୍ଣ୍ଣପୁର, ୧୫/୦୮ :ଦେଶର ସ୍ୱାଧୀନତାର ୮୦ତମ ମହାପର୍ବ ସୁବର୍ଣ୍ଣପୁର ଜିଲ୍ଲା ମହକୁମାସ୍ଥିତ ଐତିହାସିକ ରାମେଶ୍ୱର ଷ୍ଟାଡିୟମରେ ଅତ୍ୟନ୍ତ ଉତ୍ସାହ, ଉଦ୍ଦୀପନା ଓ ଗାମ୍ଭୀର୍ଯ୍ୟର ସହ ପାଳିତ ହୋଇଯାଇଛି। ସାରା ଦେଶ ସାଙ୍ଗକୁ ପଶ୍ଚିମ ଓଡ଼ିଶାର ଏହି ମାଟିରେ ମଧ୍ୟ ଜାତୀୟ ପତାକା ତଳେ ଏକତାର ବାର୍ତ୍ତା ବେଶ୍ ପ୍ରଭାବଶାଳୀ ଭାବେ ପ୍ରସ୍ଫୁଟିତ ହୋଇଛି।
ଏହି ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ସ୍ୱାଭିମାନ ଓ ସ୍ୱାଧୀନତାର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ମୁଖ୍ୟ ଅତିଥି ଜିଲ୍ଲାର ବିଭିନ୍ନ ବାହିନୀ ଓ ସ୍କୁଲ୍/କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ।ପ୍ୟାରେଡ଼ର ଶୃଙ୍ଖଳା ଓ ପ୍ରଭାବଶାଳୀ ପାଦଚାଳନା ଉପସ୍ଥିତ ଜନସାଧୁଙ୍କ ମନରେ ଦେଶପ୍ରେମର ଭାବ ଜାଗ୍ରତ କରିଥିଲା।
ଜିଲ୍ଲାପାଳ ଡ଼. ସାହୁ ତାଙ୍କ ଅଭିଭାଷଣରେ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜିଲ୍ଲାର ବିକାଶ ଏବଂ ଉନ୍ନତିକରଣ ପାଇଁ ପ୍ରଶାସନର ପ୍ରତିବଦ୍ଧତା ଦୋହରାଇଥିଲେ। ସେ ସମସ୍ତଙ୍କୁ ଏକାଠି ହୋଇ ସମାଜର ପ୍ରଗତି ଏବଂ ଦେଶ ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ।
ଏହି ଜାତୀୟ ଉତ୍ସବରେ ବିଭିନ୍ନ ସରକାରୀ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ପୋଲିସ ପ୍ରଶାସନର କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ଉପସ୍ଥିତ ଥିଲେ।ପ୍ୟାରେଡ଼ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଦେଶପ୍ରେମମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକ ଆକର୍ଷଣୀୟ ଓ ଜୀବନ୍ତ କରିଥିଲା।
ଏହି ସମାରୋହ ସୁବର୍ଣ୍ଣପୁର ଜିଲ୍ଲାରେ ଜାତୀୟ ଏକତା, ବନ୍ଧୁଭାବ ଏବଂ ଦେଶଭକ୍ତିର ଏକ ଅବିସ୍ମରଣୀୟ ପରିବେଶ ସୃଷ୍ଟି କରିପାରିଛି।



