ଓଡିଶା

ଶ୍ରାବଣର ତୃତୀୟ ସୋମବାର ଓ ସିଂହ ସଂକ୍ରାନ୍ତିରେ ସୁବର୍ଣ୍ଣପୁର ଉତ୍ସବମୁଖର

ସୁବର୍ଣ୍ଣପୁର, ୧୭ /୮: ଶ୍ରାବଣ ମାସର ତୃତୀୟ ସୋମବାର ଓ ସିଂହ ସଂକ୍ରାନ୍ତିର ପବିତ୍ର ସଂଯୋଗ ଅବସରରେ ଆଜି ଦେବଭୂମି ସୁବର୍ଣ୍ଣପୁର ଭକ୍ତି ଓ ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା। ପ୍ରଭାତରୁ ତ୍ରିବେଣୀ ସଙ୍ଗମରେ ଶହ ଶହ କାଉଡ଼ିଆ ପବିତ୍ର ସ୍ନାନ କରି ଜଳ ସଂଗ୍ରହ କରିଥିଲେ। ପରେ ବାବା ରାମେଶ୍ୱର ଓ ସୁବର୍ଣ୍ଣମେରୁଙ୍କଠାରେ ଜଳାଭିଷେକ କରିଥିଲେ। କାଉଡ଼ିଆଙ୍କ ‘ବୋଲ୍‌ ବମ୍‌’ ଧ୍ୱନିରେ ସହରର ପରିବେଶ ଶିବମୟ ହୋଇଉଠିଥିଲା।

ସହରର ପ୍ରମୁଖ ଶୈବପୀଠ କାଶୀବିଶ୍ୱନାଥ, ରୁଦ୍ରନାଥ, ସିଦ୍ଧେଶ୍ୱର, ବାଲୁଙ୍କେଶ୍ୱର, ଲୋକନାଥ, ପଶ୍ଚିମ ସୋମନାଥ, ଗୋକର୍ଣ୍ଣେଶ୍ୱର ଓ ଓଁକାରେଶ୍ୱର ମନ୍ଦିରରେ ମଧ୍ୟ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ସହ ଶିବଲିଙ୍ଗରେ ଜଳାଭିଷେକ କରିଥିଲେ।

ସନ୍ଧ୍ୟାରେ ବାବା ପଶ୍ଚିମ ସୋମନାଥ ଓ ଶ୍ରୀ କାଶୀବିଶ୍ୱନାଥଙ୍କ ଦିବ୍ୟ ବଡ଼ସିଂହାର ଓ ବରଫାନୀ ଶୃଙ୍ଗାର ବେଶ ଭକ୍ତଙ୍କ ମନ ମୋହିଥିଲା। ଦୀପ, ଧୂପ, ଘଣ୍ଟଘଣ୍ଟା ଓ ‘ହର ହର ମହାଦେବ’ ଧ୍ୱନିରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା।

ଶ୍ରାବଣ ସୋମବାର ଓ ସିଂହ ସଂକ୍ରାନ୍ତିର ଏହି ପବିତ୍ର ଅବସରରେ ଦାନ, ସେବା ଓ ପରୋପକାରର ମହତ୍ତ୍ୱ ମଧ୍ୟ ଭକ୍ତମାନେ ସ୍ମରଣ କରିଥିଲେ। ମହାନଦୀ, ତେଲ ଓ କର୍ପୂର ନଦୀର ସଙ୍ଗମଭୂମି ସୁବର୍ଣ୍ଣପୁରରେ ଏହି ଧାର୍ମିକ ଆୟୋଜନ ଶୈବ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ ଚିତ୍ର ପ୍ରଦାନ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button