ସୋନପୁରରେ ଜିଲ୍ଲାସ୍ତରୀୟ ଏଡସ୍ କୁଇଜ୍ ପ୍ରତିଯୋଗିତା
ରାଜ୍ୟସ୍ତରକୁ ମନୋନୀତ ହେଲେ ପ୍ରିୟାଂଶୀ ମିଶ୍ର ଓ ସଞ୍ଚିତା ସାହୁ

ସୁବର୍ଣ୍ଣପୁର , ୨୧/୦୮: ଏଚ୍ଆଇଭି/ଏଡସ୍ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ ସୋନପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଏଡସ୍ କୁଇଜ୍ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୬ଟି ବ୍ଲକ୍ରୁ ମୋଟ ୧୨ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ।
ସୋନପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପାରମିତା ଦାଶ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସୋନପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଘନଶ୍ୟାମ ମେହେର ଯୋଗଦେଇ ଏଡସ୍ର ପ୍ରତିରୋଧ, ସଚେତନତା ଓ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରତି ସମାଜର ସକାରାତ୍ମକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଜେଆରସିଓ ଶ୍ରୀ ଚନ୍ଦ୍ରମଣି ବାଘ ଏବଂ ସିନିୟର ଆର୍ପି ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର ଉପସ୍ଥିତ ରହିଥିଲେ। ଡିଏଚ୍ଏଚ୍, ସୋନପୁରସ୍ଥିତ ଆଇସିଟିସିର ଜିଲ୍ଲା ଆଇସିଟିସି ସୁପରଭାଇଜର ଶ୍ରୀ ସୁଦାମ ପଧାନ ଏବଂ ଡିଏସ୍ଆରସି କାଉନସେଲର ଶ୍ରୀ ସନ୍ତୋଷ କୁମାର ସାହୁଙ୍କ ସମେତ ବିଭିନ୍ନ କାଉନସେଲର ଓ ଅଧିକାରୀମାନେ ଉପସ୍ଥିତ ରହି ପ୍ରତିଯୋଗିତାକୁ ସଫଳ କରିବାରେ ସହଯୋଗ କରିଥିଲେ।
ପ୍ରତିଯୋଗିତାରେ ଏଚ୍ଆଇଭି/ଏଡସ୍ର କାରଣ, ସଂକ୍ରମଣର ମାଧ୍ୟମ, ପ୍ରତିରୋଧ ବ୍ୟବସ୍ଥା, ଚିକିତ୍ସା ଓ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଉପରେ ପ୍ରତିଯୋଗୀମାନଙ୍କ ଜ୍ଞାନ ପରୀକ୍ଷା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ।
ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ପିଏମ୍ଶ୍ରୀ ହାଇସ୍କୁଲ, ସୁବଳୟାର ଛାତ୍ରୀ ପ୍ରିୟାଂଶୀ ମିଶ୍ର ଏବଂ ସିଙ୍ଗାରୀ ହାଇସ୍କୁଲର ଛାତ୍ରୀ ସଞ୍ଚିତା ସାହୁ ରାଜ୍ୟସ୍ତରୀୟ ଏଡସ୍ କୁଇଜ୍ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଦୁଇ ଛାତ୍ରୀଙ୍କ ସଫଳତା ପାଇଁ ଉପସ୍ଥିତ ଅତିଥି, ଶିକ୍ଷକ ଓ ଆୟୋଜକମାନେ ଶୁଭେଚ୍ଛା ଜଣାଇଥିଲେ।
ସଭାର ସଂଯୋଜନା ଓ ପରିଚାଳନା କାଉନସେଲର ଶ୍ରୀ ଜଗଦୀଶ ଦାଶ କରିଥିବାବେଳେ, ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମନରେ ଏଚ୍ଆଇଭି/ଏଡସ୍ ସମ୍ପର୍କରେ ସଠିକ୍ ଜ୍ଞାନ ଓ ସଚେତନତା ସୃଷ୍ଟି କରିବା ସହ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥିଲା।



