ରକ୍ଷା ବନ୍ଧନ ପାଇଁ ଢେଙ୍କାନାଳ ବଜାରରେ ଭିଡ଼

ଢେଙ୍କାନାଳ: ରାତି ପାହିଲେ ପବିତ୍ର ରକ୍ଷା ବନ୍ଧନ ପର୍ବ। ଭାଇ-ଭଉଣୀଙ୍କ ସ୍ନେହ ଓ ସମ୍ପର୍କର ପ୍ରତୀକ ଏହି ପବିତ୍ର ପର୍ବକୁ ନେଇ ଢେଙ୍କାନାଳ ସହରରେ ଏବେ ଚଳଚଞ୍ଚଳତା ବଢ଼ିଛି।
ରକ୍ଷା ବନ୍ଧନ ପାଇଁ ସହରର ବିଭିନ୍ନ ବଜାର ଓ ଛକରେ ରଙ୍ଗବେରଙ୍ଗର ରାକ୍ଷୀର ପସରା ଖୋଲିଛି। ବିଭିନ୍ନ ଡିଜାଇନ୍ ଓ ଆକର୍ଷଣୀୟ ରାକ୍ଷୀ କିଣିବା ପାଇଁ ଦୋକାନଗୁଡ଼ିକରେ ଲାଗିଛି ଲମ୍ବା ଭିଡ଼।
ଛୋଟ ପିଲାଙ୍କ ପାଇଁ କାର୍ଟୁନ୍ ଓ ଖେଳନା ଡିଜାଇନ୍ର ରାକ୍ଷୀଠାରୁ ଆରମ୍ଭ କରି ଭାଇଙ୍କ ପାଇଁ ଷ୍ଟାଇଲିଶ୍ ରାକ୍ଷୀ ପର୍ଯ୍ୟନ୍ତ ବଜାରରେ ରହିଛି ବିଭିନ୍ନ ପ୍ରକାରର ବିକଳ୍ପ। ଭଉଣୀମାନେ ନିଜ ଭାଇଙ୍କ ପସନ୍ଦ ଅନୁସାରେ ରାକ୍ଷୀ କିଣିବାରେ ବ୍ୟସ୍ତ ଥିବା ବେଳେ, ବ୍ୟବସାୟୀମାନେ ମଧ୍ୟ ଭଲ ବିକ୍ରିକୁ ନେଇ ଆଶାବାଦୀ ଅଛନ୍ତି।
ପର୍ବକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାରୁ ଢେଙ୍କାନାଳ ସହରର ବଜାର ଅଞ୍ଚଳରେ ବଢ଼ିଛି ଗ୍ରାହକଙ୍କ ଭିଡ଼। ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ସ୍ନେହ, ଭଲପାଇବା ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ସମସ୍ତେ ପ୍ରସ୍ତୁତ।



