ଓଡିଶା

ସୁବର୍ଣ୍ଣପୁରରେ ଆଉଟସୋର୍ସିଂ ଏଜେନ୍ସିର ମନମାନୀ: ୨୧ ମାସର ୧୨ ଲକ୍ଷ ଟଙ୍କାର EPF ଓ ESI ହଡ଼ପ ଅଭିଯୋଗ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କର୍ମଚାରୀ

ସୁବର୍ଣ୍ଣପୁର: ୨୬/୦୮ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ଲକ୍ଷାଧିକ ଟଙ୍କାର ଇପିଏଫ୍ (EPF) ଓ ଇଏସଆଇ (ESI) ଅର୍ଥ ଜମା ନକରି ହଡ଼ପ କରାଯାଇଥିବା ନେଇ ଏକ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ବଲାଙ୍ଗିରର ‘ରୟାଲ ସିକ୍ୟୁରିଟି ସର୍ଭିସ ଏଜେନ୍ସି’ ବିରୋଧରେ ଏହି ଅଭିଯୋଗ ଆଣି ଭୁକ୍ତଭୋଗୀ କର୍ମଚାରୀମାନେ ଉଲୁଣ୍ଡା ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଜିଲ୍ଲାର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ଲକରେ ୧୩ ଜଣ କର୍ମଚାରୀ ରୟାଲ ସିକ୍ୟୁରିଟି ସର୍ଭିସ ଏଜେନ୍ସି ଜରିଆରେ ନିୟୋଜିତ ହୋଇ କାର୍ଯ୍ୟ କରୁଥିଲେ। ନିୟମ ଅନୁସାରେ ସେମାନଙ୍କ ମାସିକ ଦରମାରୁ ଇପିଏଫ୍ ଏବଂ ଇଏସଆଇ ବାବଦ ଅର୍ଥ କାଟ କରାଯାଉଥିଲା। ମାତ୍ର କର୍ମଚାରୀମାନେ ନିଜର ଇପିଏଫ୍ ପାସବୁକ୍ ଏବଂ ଇଏସଆଇ କଣ୍ଟ୍ରିବ୍ୟୁସନ ହିଷ୍ଟ୍ରି ଯାଞ୍ଚ କରିବା ପରେ ଜାନୁଆରୀ ୨୦୨୪ ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଦୀର୍ଘ ୨୧ ମାସର ପ୍ରାୟ ୧୨ ଲକ୍ଷ ଟଙ୍କା ସେମାନଙ୍କ ଖାତାରେ ଜମା ହୋଇନଥିବା ଜଣାପଡ଼ିଥିଲା।

ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଏଜେନ୍ସି ଏହି ବିପୁଳ ଅର୍ଥ ଜମା ନକରିବାରୁ କର୍ମଚାରୀମାନେ ନିଜର ନ୍ୟାର୍ଯ୍ୟ ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଏଜେନ୍ସି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି କର୍ଣ୍ଣପାତ କରିନଥିଲେ।

ଏହାକୁ ନେଇ କର୍ମଚାରୀ ଜିତେନ୍ଦ୍ର ପଧାନ, ଭଗବାନ ମେହେର, ମଞ୍ଜୁଶ୍ରୀ ଭୁଇଁୟା, ନିରଞ୍ଜନ ରଣା, ଉମା ଶଙ୍କର ସାହୁ, ସେହେବାଜ୍ ଖାନ୍, ଲୋଚନ ଦାସ ଏବଂ ରାଜୀବ ଲୋଚନ ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବକେୟା ଥିବା ସମସ୍ତ ଇପିଏଫ୍ ଏବଂ ଇଏସଆଇ ଅର୍ଥ ସୁଧ ସହ ତୁରନ୍ତ ଖାତାରେ ଜମା କରାଇବା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button