ଓଡିଶା

କଇରାଝୁଲି ବିଦ୍ୟାଳୟ ପୁଣିଥରେ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫ ଲାଭ କରିବ 

ସୁବର୍ଣ୍ଣପୁର ୪/୯ : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁଣିଥରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫ ଲାଭ କରିବା ପାଇଁ ମନୋନୀତ ହୋଇସାରିଛି । ବିଦ୍ୟାଳୟର ସୁନ୍ଦର ମନୋହର ସ୍ୱାସ୍ଥ୍ୟକର ପରିବେଶ, ଶିକ୍ଷା କ୍ଷେତ୍ରରେ କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ, ସର୍ବୋତ୍ତମ ଶିକ୍ଷାଦାନ ପଦ୍ଧତି ଓ ଶୃଙ୍ଖଳିତ ସୁସଂସ୍କାର ବ୍ୟବସ୍ଥା ନିମନ୍ତେ କଇରାଝୁଲି ବିଦ୍ୟାଳୟ ପୂର୍ବରୁ ଅନେକ ଥର ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ତଥା ରାଜ୍ୟ ସ୍ତରୀୟ ବିଭିନ୍ନ ପୁରସ୍କାର ଲାଭ କରିବା ସହିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩ ଲାଭ କରିସାରିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ପଧାନଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଲେଖରାଜ ସାଗରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟାଙ୍କ କଠିନ ପରିଶ୍ରମ, ନିସ୍ଵାର୍ଥପର ସହଯୋଗ ଏବଂ ଶିକ୍ଷଣ ଦକ୍ଷ୍ୟତା ବୃଦ୍ଧି ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ଅଭିନବ ପ୍ରୟାସ ଯୋଗୁଁ ଏହି ବିଦ୍ୟାଳୟ ଦିନକୁ ଦିନ ବିଭିନ୍ନ ସଫଳତା ହାସଲ କରିବା ସହିତ ବ୍ଲକ, ଜିଲ୍ଲା, ରାଜ୍ୟ ତଥା କେନ୍ଦ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବିଦ୍ୟାଳୟର ଏଭଳି ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ପାଇଁ ଅଞ୍ଚଳବାସୀ, ଜିଲ୍ଲାବାସୀ ତଥା ବୁଦ୍ଧିଜୀବୀ ମହଲରୁ ପ୍ରଶଂସନୀୟ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସମସ୍ତଙ୍କଠାରୁ ଏଭଳି ନିସ୍ଵାର୍ଥପର ସହଯୋଗ ସଦାସର୍ବଦା ବଜାୟ ରହିଲେ ଏହି ବିଦ୍ୟାଳୟ ଭବିଷ୍ୟତରେ ସଫଳତାର ସର୍ବୋଚ୍ଚ ଶିଖରକୁ ନିଶ୍ଚିତ ଭାବରେ ପହଞ୍ଚିବ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପରିପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button