ବିକାଶ ନା ବିନାଶ ପାଣିମୋରା ଇଥାନଲ୍ କାରଖାନା ସାଜିଛି ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ

ସୁବର୍ଣ୍ଣପୁର,୦୪/୧୦ ଶିଳ୍ପାୟନ ନାଁରେ ଜନଜୀବନ ଅସ୍ତବ୍ୟସ୍ତ। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଣିମୋରାସ୍ଥିତ ଇଥାନଲ୍ କାରଖାନା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ବଡ଼ ଦାଉ ସାଧିଛି। ବିକାଶର ପ୍ରତିଶ୍ରୁତି ଦେଇ ଗଢ଼ି ଉଠିଥିବା ଏହି ପ୍ରକଳ୍ପ ସୁବିଧା ଦେବା ପରିବର୍ତ୍ତେ ଅଞ୍ଚଳବାସୀଙ୍କ ଜୀବନଜୀବିକା, ପରିବେଶ ଓ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।
ଖାଲଖମାରେ ପରିଣତ ରାସ୍ତା, ଯାତାୟାତ ଠପ୍
କାରଖାନାକୁ ପ୍ରତିଦିନ ଶହ ଶହ ଭାରିଯାନ ଯିବାଆସିବା କରୁଥିବାରୁ ଜାତୀୟ ରାଜପଥ ନିବୃତ୍ତି ଜୋର ଝାରତରଭା ପୋଲଠାରୁ ଭାୟା ଝାରତରଭା ରେଳ ଷ୍ଟେସନ ଦେଇ ଯାଇଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇ ପୋଖରୀ ସଦୃଶ ଭ୍ରମ ସୃଷ୍ଟି କରୁଛି। ଫଳରେ ସାଧାରଣ ଲୋକଙ୍କ ଚଳପ୍ରଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
ଖାଲଖମା ଭରା ରାସ୍ତା ଯୋଗୁଁ ଚାରିଚକିଆ ଯାନ ତ ଦୂରର କଥା, ବାଇକ୍ କିମ୍ବା ସାଇକେଲଟିଏ ନେବା ବି କଷ୍ଟ ହୋଇପଡ଼ିଛି ।
ନିକଟରେ ଜଣେ ବ୍ୟକ୍ତି ନିଜ ଅସୁସ୍ଥ ପରିଜନଙ୍କୁ ସାଇକେଲରେ ବସାଇ ଚଳାଇ ଚଳାଇ ରେଳ ଷ୍ଟେସନ ପର୍ଯ୍ୟନ୍ତ ନେଉଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ବାସ୍ତବ ଦୁଃସ୍ଥିତିକୁ ପଦାରେ ପକାଇଛି।
ବାଇକ୍ ଆରୋହୀମାନେ ନିୟମିତ ଖାଲରେ ପଡ଼ି ଆହତ ହେଉଥିବା ବେଳେ ଧୂଳିଧୂଆଁ ଯୋଗୁଁ ଯାତ୍ରା ଅସମ୍ଭବ ହୋଇପଡ଼ୁଛି।
ପାଣି, ପବନ ଓ ଚାଷଜମିକୁ ନେଇ ବଢୁଛି ଆଶଙ୍କା
କେବଳ ଭଙ୍ଗାରୁଜା ରାସ୍ତା ନୁହେଁ, କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ, ରାସାୟନିକ ପାଣି ଏବଂ ଦୂଷିତ ଧୂଆଁ ଯୋଗୁଁ ଆଖପାଖ ଅଞ୍ଚଳର ପରିବେଶ ବିଷାକ୍ତ ହେବାକୁ ବସିଲାଣି।
ଚାଷବାସ ଉପରେ ଚାଷଜମିଗୁଡ଼ିକ ଉପରେ କାରଖାନାର ପ୍ରଦୂଷଣର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି, ଯାହା ଚାଷୀଙ୍କ ଉତ୍ପାଦନ କ୍ଷମତା ହ୍ରାସ କରିବାର ଆଶଙ୍କା ବଢ଼ାଇଛି।
ଆଖପାଖ ଜଳଉତ୍ସ ଓ ଭୂତଳ ଜଳ ପ୍ରଦୂଷିତ ହେବା ଫଳରେ ଭବିଷ୍ୟତରେ ପାନୀୟ ଜଳ ସଙ୍କଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି।
ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟା ଜନିତ ରୋଗ ବୃଦ୍ଧି ପାଇବା ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
କାରଖାନା ସ୍ଥାପନ ବେଳେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଉନ୍ନତ ଭିତ୍ତିଭୂମି ଓ ବିକାଶର ଯେଉଁ ସବୁଜ ସ୍ୱପ୍ନ ଦେଖାଯାଇଥିଲା, ତାହା କେବଳ କାଗଜପତ୍ରରେ ସୀମିତ ରହିଯାଇଛି। ସୁବିଧା ବଦଳରେ କେବଳ ଯାତନା ହିଁ ମିଳିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଯଦି ତୁରନ୍ତ ଏହି ମୁଖ୍ୟ ରାସ୍ତାର ମରାମତି ସହ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କାରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ ନକରନ୍ତି। ତେବେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ଜୀବନଜୀବିକା ଓ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ନିଶ୍ଚିତ। ଏଥିପାଇଁ ବ୍ୟାପକ ଜନଆନ୍ଦୋଳନ ଗଢ଼ିଉଠିବାର ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି ।



