ଓଡିଶା

ମହାଳୟାରେ ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ, ଦର୍ଶନ ଦେବେ ଅଢ଼େଇ ଦିନ

ସମ୍ବଲପୁର, ଅକ୍ଟୋବର ୧୦: ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଶନିବାର ଦୁର୍ଲଭ ଧବଳମୁଖୀ ବା ଗଙ୍ଗାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷସାରା ସିନ୍ଦୂରବର୍ଣ୍ଣରେ ଦର୍ଶନ ଦେଉଥିବା ମା’ କେବଳ ମହାଳୟା ଦିନ ଶୁଭ୍ରବର୍ଣ୍ଣରେ ସଜ୍ଜିତ ହୋଇଥାନ୍ତି। ଏହି ବିରଳ ବେଶରେ ମା’ ଅଢ଼େଇ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ। ବର୍ଷକୁ ଥରେ ମା’ଙ୍କ ଏହି ଦିବ୍ୟ ରୂପ ଦର୍ଶନ କରିବା ପାଇଁ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ଶୁକ୍ରବାର ମଧ୍ୟରାତ୍ରିରୁ ମନ୍ଦିରରେ ଭକ୍ତଙ୍କ ସମାଗମ ବଢ଼ିଥିବା ବେଳେ ଶନିବାର ଭୋରରୁ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିଲା। ନିର୍ଦ୍ଧାରିତ ସମୟରେ ମନ୍ଦିର ଦ୍ୱାର ଖୋଲିବା ପରେ ମା’ଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ଭୋର ୫ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୧ଟା ୪୫ରେ ଅନ୍ନଭୋଗ ପାଇଁ ଦର୍ଶନ ବନ୍ଦ ରହିବା ପରେ ଅପରାହ୍ନ ୧୨ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଦର୍ଶନ ଜାରି ରହିବାର ବ୍ୟବସ୍ଥା କରାଯାଇଥିଲା। ମହାଆଳତି ପାଇଁ ସନ୍ଧ୍ୟା ୭ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବା ପରେ ରାତି ୧୦ଟା ୩୦ ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଏହି ଅବସରରେ ମା’ଙ୍କ ପୂଜକମାନେ ମଧ୍ୟ ଧଳା ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରିଥିଲେ।

ମନ୍ଦିରରେ ସମ୍ଭାବ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଥମ ଦିନ ଅତ୍ୟଧିକ ଭିଡ଼ ନକରିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି। ବିଶେଷକରି ବୟସ୍କ, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ ଓ ଶିଶୁମାନଙ୍କୁ ଭିଡ଼ ଏଡ଼ାଇବା ପାଇଁ ଅକ୍ଟୋବର ୧୧ ତାରିଖରେ ଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି ଯେ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

ଅନ୍ୟପକ୍ଷରେ, ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ଓ ଏହାର ଚତୁଃପାର୍ଶ୍ୱରେ ଏକାଧିକ ପୁଲିସ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଥିବା ବେଳେ ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ବିପୁଳ ଜନସମାଗମ ମଧ୍ୟରେ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button