ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗ
ଗିଦିଘାଟୀ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ପ୍ରଭାବିତ ୪ ଲକ୍ଷ ୭୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ବକେୟା ବିଲ୍ ପୈଠ ହେଉନି, ଭିଜିଲାନ୍ସ ତଦନ୍ତ ଦାବି

ରାଇରଙ୍ଗପୁର, ୧୦/୧୦( ଶ୍ଯାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତରେ ଠିକାଦାରଙ୍କ ବକେୟା ବିଲ୍ ପୈଠ ହେଉ ନ ଥିବାରୁ ବିବାଦ ଦେଖାଦେଇଛି। ଏହାର ପ୍ରଭାବରେ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଭାବିତ ହେଉଥିବା ଠିକାଦାରମାନେ ଅଭିଯୋଗ କରିଛନ୍ତି। ଏଥିସହ ଏହି ମାମଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ଗିଦିଘାଟୀ ପଞ୍ଚାୟତ ଅନ୍ତର୍ଗତ ମହୁଲଡୁମା ଗ୍ରାମରେ ‘ଲକ୍ଷ୍ମୀ ପୂଜା ମଣ୍ଡପ’ ନାମରେ ଏକ ସାମୁଦାୟିକ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ବିଭାଗୀୟ ସ୍ତରରେ କରାଯାଇଥିଲା। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଠିକାଦାରଙ୍କ ୪ ଲକ୍ଷ ୭୦ ହଜାର ୭୭୧ ଟଙ୍କାର ବିଲ୍ ଏଯାବତ୍ ପୈଠ ହୋଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଠିକାଦାର ନାରାୟଣ ମହାନ୍ତି ଓ ମନୋରଞ୍ଜନ ମହାନ୍ତ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଏକାଧିକ ଥର ଅଭିଯୋଗ କରିଛନ୍ତି। ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଏହି ମାମଲାର ଶୁଣାଣି କରି ୭ ଦିନ ମଧ୍ୟରେ ବକେୟା ଅର୍ଥ ପୈଠ କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ଦ୍ଦେଶ ସତ୍ତ୍ୱେ ଏଯାବତ୍ ଅର୍ଥ ପୈଠ ହୋଇ ନ ଥିବା ଠିକାଦାରମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ବହଳଦା ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେଦଙ୍କ ନାମ ସାମ୍ନାକୁ ଆସିଛି। ତାଙ୍କର ବଡ଼ସାହି ବ୍ଲକକୁ ବଦଳି ନିର୍ଦ୍ଦେଶ ଜାରି ହୋଇଥିବା ଦର୍ଶାଇ ବହଳଦା ବିଡିଓ ଶରତ କୁମାର ମଲ୍ଲିକ ମାମଲାରେ ପରବର୍ତ୍ତୀ ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି। ତେବେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଏଯାବତ୍ ବହଳଦା ବ୍ଲକରୁ ଅବ୍ୟାହତି ପାଇ ନ ଥିବା ଏବଂ ସେଠାରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବିଡିଓ ଶରତ କୁମାର ମଲ୍ଲିକଙ୍କୁ ପଚାରିବାରୁ, ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ଆଦେଶ ଏବେ ରଦ୍ଦ ହୋଇଯାଇଥିବା ସେ କହିଛନ୍ତି। ଏହି ଘଟଣାକୁ ନେଇ ଅଞ୍ଚଳରେ ବକେୟା ବିଲ୍ ପୈଠ ଏବଂ ଆର୍ଥିକ ଅନିୟମିତତାର ନିରପେକ୍ଷ ତଦନ୍ତ ଦାବି ହୋଇଛି। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରିବା ସହ ଗିଦିଘାଟୀ ପଞ୍ଚାୟତରେ ପ୍ରଭାବିତ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ପୁନର୍ବାର ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତଦନ୍ତ ହେଲେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ ବୋଲି ସେମାନେ ମତ ଦେଇଛନ୍ତି।



