ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ

ସୁବର୍ଣ୍ଣପୁର, ୧୨ /୧୦ : ଶାରଦୀୟ ନବରାତ୍ରିର ଦ୍ୱିତୀୟ ଦିବସରେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗାଦେବୀ ବ୍ରହ୍ମଚାରିଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଦେବୀଙ୍କ ଏହି ଦିବ୍ୟ ବେଶ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପୂଜାର୍ଚ୍ଚନା ଓ ମା’ଙ୍କ ଜୟଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି।
ପୌରାଣିକ ମତ ଅନୁଯାୟୀ, ମା’ ଦୁର୍ଗାଙ୍କ ନବଦୁର୍ଗା ସ୍ୱରୂପ ମଧ୍ୟରୁ ବ୍ରହ୍ମଚାରିଣୀ ହେଉଛନ୍ତି ଦ୍ୱିତୀୟ ସ୍ୱରୂପ। ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କରିବା ପାଇଁ ଦେବୀ ପାର୍ବତୀ କଠୋର ତପସ୍ୟା କରିଥିଲେ। ତାଙ୍କର ଅସୀମ ଧୈର୍ଯ୍ୟ, ତ୍ୟାଗ ଓ ତପସ୍ୟା ଯୋଗୁଁ ସେ ବ୍ରହ୍ମଚାରିଣୀ ନାମରେ ପରିଚିତ। ଗୋଟିଏ ହସ୍ତରେ ଜପମାଳା ଓ ଅନ୍ୟ ହସ୍ତରେ କମଣ୍ଡଳୁ ଧାରଣ କରିଥିବା ଦେବୀଙ୍କ ଏହି ସ୍ୱରୂପ ଭକ୍ତଙ୍କୁ ସଂଯମ, ନିଷ୍ଠା ଓ ଦୃଢ଼ ସଂକଳ୍ପର ବାର୍ତ୍ତା ପ୍ରଦାନ କରେ।
ନବରାତ୍ରିର ଏହି ପବିତ୍ର ଅବସରରେ ଦେବୀଙ୍କ ଆରାଧନା କରି ଭକ୍ତମାନେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି। ମା’ଙ୍କ କୃପା ଲାଭ ପାଇଁ ମନ୍ଦିରଗୁଡ଼ିକରେ ଭକ୍ତିପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିଲା।



