ମଙ୍ଗଳବାର ସୃଷ୍ଟି ହୋଇପାରେ ଲଘୁଚାପ, ଅକ୍ଟୋବର ୧୮ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସୁଦ୍ଧା ଏହା ଲଘୁଚାପର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଏହାର ପ୍ରଭାବ ଏଯାଏଁ ଓଡ଼ିଶା ଉପରେ ପଡ଼ିନାହିଁ। ଅନ୍ୟପକ୍ଷରେ, ଦିନବେଳା ତାପମାତ୍ରା ଅଧିକ ରହୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଅକ୍ଟୋବର ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଟ୍ରଫ୍ଲାଇନ୍ ଏବଂ ପୂର୍ବ ଦିଗରୁ ପବନ ପ୍ରବାହ ଯୋଗୁଁ ଅକ୍ଟୋବର ୧୩ ତାରିଖରୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ହୋଇପାରେ। ୧୩ ତାରିଖ ରାତିରୁ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବାର ଆଶଙ୍କା ରହିଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହା ସହିତ ଏକାଧିକ ସ୍ଥାନରେ ନୁହେଁ, ବରଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।



