ସ୍ୱର୍ଗତ ଉମେଶ ଚନ୍ଦ୍ର ନନ୍ଦଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ପାଳିତ

ଢେ଼ଙ୍କାନାଳ:- ତା ୧୩.୧୦.୨୦୨୬ରିଖ ମଙ୍ଗଳବାର ଦିନ ସ୍ୱର୍ଗତ ଉମେଶ ଚନ୍ଦ୍ର ନନ୍ଦଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ତାଙ୍କ ପୈତୃକ ଗ୍ରାମ ଢେଙ୍କାନାଳ ଜିଲ୍ଲା ,କାମାକ୍ଷାନଗର ଅନ୍ତର୍ଗତ ମାଣ୍ଡୁଖୁରା ଠାରେ ନିଜ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା, ଯେଉଁଥିରେ କଥା ଓ କବିତାରେ ତାଙ୍କର ସ୍ମୃତି ପ୍ରକ୍ଷାଳନ ଏବଂ ଶ୍ରଦ୍ଧା ତଥା ଭକ୍ତି ରସାତ୍ମକ କବିତା ପାଠ କରାଯାଇଥିଲା। ଏହି ସଭାରେ ପ୍ରାକ୍ତନ ଭିଜିଲାନ୍ସ ଜଜ୍ ତଥା ପ୍ରଖ୍ୟାତ ସାହିତ୍ୟିକ ଭିକାରୀ ଚରଣ ରାଉତ ସଭାପତିତ୍ୱ କରିଥିଲେ । ସୁପ୍ରସିଦ୍ଧ କବି କାଳୀକିଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।କବୟିତ୍ରୀ ନିର୍ମଳା ମହାପାତ୍ର, ପୁତ୍ର ଚିତ୍ତରଞ୍ଜନ ନନ୍ଦ, ପୁତୁରା କେଶବ ଷଢଙ୍ଗୀ ମଞ୍ଚାସୀନ ଥିଲେ। ଏ ମହାଭାଗମାନଙ୍କ ସହିତ ପ୍ରପୌତ୍ର ମାନସ କୁମାର ନନ୍ଦ ଏବଂ ଅନେକ ସଭାସଦ୍ ସ୍ୱର୍ଗତ ଉମେଶ ନନ୍ଦଙ୍କ ସ୍ମୃତିଚରଣ କରି ତାଙ୍କୁ ଏକ ମହନୀୟ ବ୍ୟକ୍ତିତ୍ଵ ଭାବେ ପ୍ରତିପାଦନ କରିଥିଲେ। ପ୍ରାୟ କୋଡିଏ ଜଣ କବି ଓ କବୟିତ୍ରୀ ସେମାନଙ୍କର କବିତା ପାଠ କରିଥିଲେ। ସର୍ବଶେଷରେ ସ୍ୱର୍ଗତ ନନ୍ଦଙ୍କର କନିଷ୍ଠ ପୁତ୍ର ଧ୍ୟାନ ରଞ୍ଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସଞ୍ଚାଳନ କରିଥିଲେ ଗ୍ରାମର ସୁପୁତ୍ର, ଖ୍ୟାତନାମା ସାହିତ୍ୟିକ ଶ୍ରୀ ସୁଶୀଳ କୁମାର ନନ୍ଦ l ଏହା ପରେ ପଡୋଶୀ ଜକା ଓ ଦଧିଖାଇ ଗ୍ରାମର ମିଳିତ କୀର୍ତ୍ତନ କାର୍ଯ୍ୟକ୍ରମ ଓ ସର୍ବଶେଷରେ ଢେଙ୍କାନାଳର ‘ସ୍ୱର ସଂଯୁକ୍ତା’ ଦ୍ୱାରା ଏକ ଭଜନ ସମାରୋହ ସମାହିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପରିବାରର ସମସ୍ତ ସଦସ୍ୟ ତଥା ସହରରେ ରହୁଥିବା ଅନେକ ବ୍ୟକ୍ତି ନିଜ ଗ୍ରାମକୁ ଆସି ଗ୍ରାମରେ ଏକ ବନ୍ଧୁମିଳନର ବାତାବରଣ ସୃଷ୍ଟି କରିଥିଲେ ଓ ସ୍ବର୍ଗତ ନନ୍ଦଙ୍କ ପୁତ୍ର ଜ୍ଞାନ ରଞ୍ଜନ ନନ୍ଦ ସମସ୍ତ ଅତିଥିଗଣଙ୍କୁ ଧନ୍ୟବାଦ ଦେଇ ମେଲାଣି ଦେଇଥିଲେ l



