ଓଡିଶା
ସମ୍ପତ୍ତି ବିବାଦରୁ ହତ୍ୟା ସନ୍ଦେହ: ଶ୍ୱଶୁରଙ୍କୁ ମାରି ଧାନ ବିଲରେ ଫିଙ୍ଗିଦେଲେ ଜ୍ୱାଇଁ

ସୁନ୍ଦରଗଡ଼, ୧୭।୧୦: ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଶ୍ୱଶୁରଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଧାନ ବିଲରେ ଫିଙ୍ଗିଦେଇଥିବା ଅଭିଯୋଗରେ ଜ୍ୱାଇଁଙ୍କୁ ଗିରଫ କରିଛି ପୁଲିସ। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ଚାଡୁ ଓରାମ। ତାଙ୍କ ମୃତଦେହ ଧାନ ବିଲରେ ପଡ଼ିଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାହାକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ମୃତକଙ୍କ ଜ୍ୱାଇଁ ପରେଶ୍ୱର କୁଜୁରଙ୍କୁ ପୁଲିସ ଗିରଫ କରିଛି। ତେବେ ହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ସମ୍ପତ୍ତିକୁ ନେଇ ଦୀର୍ଘଦିନର ବିବାଦ ଏହି ହତ୍ୟାକାଣ୍ଡର କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।



