ଦଶହରା ଛୁଟିରେ ଘରକୁ ଫେରୁଥିବା ବେଳେ ଟ୍ରେନ୍ରେ ଅସୁସ୍ଥ ହୋଇ ଯୁବ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

କଣ୍ଟାବାଞ୍ଜି, ୧୯।୧୦: ଦଶହରା ଛୁଟିରେ ନିଜ ଘରକୁ ଫେରୁଥିବା ବେଳେ ଟ୍ରେନ୍ରେ ଅସୁସ୍ଥ ହୋଇ ଜଣେ ଯୁବ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ର ଆଦିବାସୀପଡ଼ା ବାସିନ୍ଦା ରଜନିଶ ନିଆଲ। ସେ ସମ୍ବଲପୁରରେ ପୁଲିସ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ରଜନିଶ ଦଶହରା ଛୁଟି ନେଇ ଖରିଆର ରୋଡ୍ସ୍ଥିତ ନିଜ ଘରକୁ ଫେରିବା ପାଇଁ ପୁରୀ-ଦୁର୍ଗ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଯାତ୍ରା କରୁଥିଲେ। ଯାତ୍ରା ସମୟରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା। ଟ୍ରେନ୍ଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ଜିଆର୍ପି କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରଜନିଶଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ସମ୍ପର୍କରେ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ରଜନିଶଙ୍କ ବାପା ପୂର୍ବରୁ ପୁଲିସ ବିଭାଗରେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁ ପରେ ରଜନିଶଙ୍କୁ ଅନୁକମ୍ପାମୂଳକ ଭାବେ ପୁଲିସ ବିଭାଗରେ ନିଯୁକ୍ତି ମିଳିଥିଲା। ଜଣେ ଯୁବ ପୁଲିସ କର୍ମଚାରୀଙ୍କ ଏଭଳି ଅକାଳ ବିୟୋଗରେ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।



