ଓଡିଶା

ଦଶହରା ମେଢ଼ ଦେଖିବାକୁ ଯାଇଥିଲେ ପରିବାର, ଘରୁ ଲୁଟ୍ ହେଲା ୩ ଲକ୍ଷରୁ ଅଧିକ ଟଙ୍କା ଓ ଗହଣା

ସୁନ୍ଦରଗଡ଼, ଅକ୍ଟୋବର ୨୧: ଦଶହରା ମେଢ଼ ଦେଖିବାକୁ ପରିବାର ଘରୁ ବାହାରକୁ ଯାଇଥିବା ବେଳେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦେହୁରୀପଡ଼ା ଗ୍ରାମରେ ଏହି ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଘରୁ ତିନି ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ସହ ବହୁ ମୂଲ୍ୟର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଦେହୁରୀପଡ଼ା ଗ୍ରାମର ହେମନ୍ତ ଗୁଖରଙ୍କ ପରିବାର ଦଶହରା ମେଢ଼ ଦେଖିବା ପାଇଁ ଘରୁ ବାହାରକୁ ଯାଇଥିଲେ। ଏହି ସୁଯୋଗରେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରେ ପଶିଥିଲେ। ପରେ ଘରେ ଥିବା ସୁନା ଓ ରୁପା ଗହଣା ସହ ତିନି ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ନେଇ ଫେରାର ହୋଇଯାଇଥିଲେ।

ଘରକୁ ଫେରିବା ପରେ ଲୁଟ୍ ସମ୍ପର୍କରେ ଜାଣି ପରିବାର ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତାରେ ଲୁଟେରାଙ୍କ ସମ୍ପର୍କରେ ସୁରାକ୍ ଖୋଜା ଚାଲିଛି। ଲୁଟ୍ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପରିଚୟ ଏବଂ ଚୋରି ହୋଇଥିବା ସମ୍ପତ୍ତି ଉଦ୍ଧାର ନେଇ ପୁଲିସ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button