ଓଡିଶା

ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ତ୍ୱରାନ୍ୱିତ କଲା ବାଲିଗୁଡ଼ା ପୁଲିସ : ନିଶାଠାରୁ ଦୂରେଇ ରହିବାକୁ ଆହ୍ୱାନ

ବାଲିଗୁଡ଼ା, ତା, ୨୧/୧୦ (ସଞ୍ଜୟ କୁମାର ପାଣିଗ୍ରାହୀ): ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଜନସଚେତନତାକୁ ଗୁରୁତ୍ୱ ଦେଇଛି ବାଲିଗୁଡ଼ା ପୁଲିସ। ଦୁର୍ଗାପୂଜା ଓ ମା’ ପାଟଖଣ୍ଡାଙ୍କ ଦର୍ଶନ ପାଇଁ ମନ୍ଦିର ଓ ପୂଜାମଣ୍ଡପକୁ ଆସୁଥିବା ଭକ୍ତଙ୍କ ସମେତ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଜନତାଙ୍କୁ ନିଶା ସେବନର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଛି। ଏଥିସହ ନିଶାମୁକ୍ତ ଓଡ଼ିଶା ଅଭିଯାନ ସମ୍ପର୍କିତ ପ୍ରଚାରପତ୍ର ବଣ୍ଟନ କରି ନିଶାଠାରୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛି ପୁଲିସ। ଏହି ଅଭିଯାନରେ ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେ, ଥାନା ଅଧିକାରୀ (ଆଇଆଇସି) ସମୀର କୁମାର ବେହେରା ଙ୍କ ସମେତ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ମା’ ପାଟଖଣ୍ଡାଙ୍କ ମନ୍ଦିର ଓ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ସମ୍ମୁଖରେ ଉପସ୍ଥିତ ରହି ସେମାନେ ଭକ୍ତ ଓ ସାଧାରଣ ଲୋକଙ୍କୁ ପ୍ରଚାରପତ୍ର ବଣ୍ଟନ କରିବା ସହ ନିଶା ସେବନର ଭୟାବହ ପରିଣାମ ବିଷୟରେ ବୁଝାଇଥିଲେ। ପୁଲିସ ପକ୍ଷରୁ ବଣ୍ଟନ କରାଯାଇଥିବା ସଚେତନତା ପ୍ରଚାରପତ୍ରରେ ମଦ, ଗଞ୍ଜେଇ, ତମାଖୁ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର କ୍ଷତି ହେବା ସହ ପାରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା ଏବଂ ସାମାଜିକ ଅବକ୍ଷୟ ଭଳି ବିଭିନ୍ନ କୁପରିଣାମ ସୃଷ୍ଟି ହେଉଥିବା ଦର୍ଶାଯାଇଛି। ନିଶାଠାରୁ ଦୂରେଇ ରହିବା ସହ ଯୁବପିଢ଼ିଙ୍କୁ ଏହାର କବଳରୁ ରକ୍ଷା କରିବା ଏବଂ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ନିଶାମୁକ୍ତ ସମାଜ ଗଠନ କେବଳ ପୁଲିସର ଦାୟିତ୍ୱ ନୁହେଁ, ବରଂ ପରିବାର, ଯୁବପିଢ଼ି ଓ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ଦାୟିତ୍ୱ। ଏହି ବାର୍ତ୍ତାକୁ ନେଇ ବାଲିଗୁଡ଼ା ପୁଲିସ ପକ୍ଷରୁ ଜାରି ରହିଛି ନିଶା ବିରୋଧୀ ସଚେତନତା ଅଭିଯାନ। ଏହି ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ କନ୍ଧମାଳ ଓ ସୁସ୍ଥ, ସୁରକ୍ଷିତ ଓଡ଼ିଶା ଗଠନର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button