ମନୋରଞ୍ଜନ

ବାବୁସାନ୍‌ଙ୍କୁ ଟକ୍କର ଦେବେ ଶୁଭମ୍

ରଜ ଲଢ଼େଇ ପାଇଁ ସଜବାଜ ହେଉଛି ‘ଶମ୍ଭୁ’। ତେଣେ ଆଗରୁ ଘୋଷଣା କରାଯାଇ ସାରିଛି ଯେ ବାବୁସାନ୍‌ଙ୍କ ଅଭିନୀତ ‘ବୋଉ ବୁଟ୍ଟୁ ଭୂତ’ ବି ରଜରେ ରିଲିଜ୍ ହେବ। ‘ଶମ୍ଭୁ’ରେ ନାୟକ ଭୂମିକାରେ ଅଛନ୍ତି ଶୁଭମ୍। ପ୍ରକାରାନ୍ତରେ କହିବାକୁ ଗଲେ, ଏଥର ରଜରେ ବାବୁସାନ୍‌ଙ୍କୁ ଟକ୍କର ଦେବେ ଶୁଭମ୍। ଗତବର୍ଷ ରଜ ଅବସରରେ ମୁକ୍ତିଲାଭ କରିଥିବା ‘ଟିକେ ଟିକେ ଅଚିହ୍ନା ତୁ’ରେ ସ୍ବରାଜଙ୍କ ଛଡ଼ା ଶୁଭମ୍ ବି ଅନ୍ୟତମ ନାୟକ ଭୂମିକାରେ ଥିଲେ। ଶୁଭମ୍ ତରଙ୍ଗ ସିନେ ପ୍ରଡକ୍‌ସନ୍‌ର ‘ଗପ ହେଲେ ବି ସତ’ରେ ଅନୁଭବଙ୍କ ପିଲାଦିନର ଭୂମିକାରେ ବି ନଜର ଆସିଥିଲେ। ଗତ ରଜରେ ବାବୁସାନ୍‌ଙ୍କ ‘ପାବାର’ ଆଗରେ ଅବଶ୍ୟ ଶୁଭମ୍‌ଙ୍କ ‘ଟିକେ ଟିକେ ଅଚିହ୍ନା ତୁ’ ଖାସ୍ କମାଲ କରି ନଥିଲା। ଦେଖିବା କଥା ଏଥର କ’ଣ ହେଉଛି! ତେବେ ‘ଶମ୍ଭୁ’କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଶୁଭମ୍।

ଏଣେ ‘ବୋଉ ବୁଟ୍ଟୁ ଭୂତ’ରେ ଅର୍ଚ୍ଚିତା ନାୟିକା ଭୂମିକାରେ ଥିବା ବେଳେ ‘ଶମ୍ଭୁ’ର ନାୟିକା ହେଉଛନ୍ତି ତମନ୍ନା।  ‘ବୋଉ ବୁଟ୍ଟୁ ଭୂତ’ ଏକ ସସ୍‌ପେନ୍ସ ଥ୍ରିଲର୍ ବୋଲି ଚର୍ଚ୍ଚା ହେଉଥିବା ବେଳେ ‘ଶମ୍ଭୁ’ ଏକ ଆକସନ୍ ପ୍ୟାକ୍‌ଡ୍‌ ମୁଭି। ଉଭୟ ସିନେମାର ସହ-କଳାକାରଙ୍କ ତାଲିକା ବି ରୋଚକ। ‘ବୋଉ ବୁଟ୍ଟୁ ଭୂତ’ରେ  ଅପରାଜିତା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, କେ କେ, ରବି ମିଶ୍ର ଓ ଉଦିତ ଗୁରୁ ପ୍ରମୁଖ ଅଭିନୟ କରିଛନ୍ତି। ତେଣେ ‘ଶମ୍ଭୁ’ର ଅନ୍ୟ ପ୍ରମୁଖ କଳାକାର ହେଲେ ପୀୟୂଷ ତ୍ରିପାଠୀ, ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ ଓ ବ୍ଲାକରବି। ‘ବୋଉ ବୁଟ୍ଟୁ ଭୂତ’ ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ହୋଇଥିବା ବେଳେ ଅଭିଜ୍ଞ ଏସ୍ ଦିଲୀପ ପଣ୍ଡା ‘ଶମ୍ଭୁ’ର ନିର୍ଦ୍ଦେଶକ।

Leave a Reply

Your email address will not be published. Required fields are marked *

Back to top button