କୋଟିଆକୁ ନେଇ ରାଜନୀତି ଜୋରଦାର: ଆଜି ଅଞ୍ଚଳ ଗସ୍ତ କରିବ ବିଜେଡି ପ୍ରତିନିଧି ଦଳ

ଭୁବନେଶ୍ୱର, ଅକ୍ଟୋବର ୨୩: କୋଟିଆକୁ ନେଇ ରାଜ୍ୟରେ ରାଜନୈତିକ ତତ୍ପରତା ବଢ଼ିଛି। ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆ ଅଞ୍ଚଳରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ ବିରୋଧ କରିବା ସହ ସ୍ଥାନୀୟ ପରିସ୍ଥିତିର ଅନୁଧ୍ୟାନ ପାଇଁ ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି)ର ଏକ ପ୍ରତିନିଧି ଦଳ କୋଟିଆ ପଞ୍ଚାୟତ ଗସ୍ତ କରିବ।
ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ପ୍ରତିନିଧି ଦଳ ଗସ୍ତ କରୁଛି। କୋଟିଆ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନବୀନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଥିଲେ। ଏହାପରେ ସେ ଦଳୀୟ ନେତାମାନଙ୍କୁ କୋଟିଆ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ରତିନିଧି ଦଳ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ସହ ଅଞ୍ଚଳର ସାମ୍ପ୍ରତିକ ସ୍ଥିତି ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଚାଲିଥିବା ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପ ବିଷୟରେ ତଥ୍ୟ ସଂଗ୍ରହ କରିବ। ଗସ୍ତ ପରେ ଏହି ଟିମ୍ ନବୀନ ପଟ୍ଟନାୟକଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବ ବୋଲି ଜଣାପଡ଼ିଛି।
ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ସମେତ ବିଜେଡି ନେତା ମନୋହର ରନ୍ଧାରୀ, ଜଗନ୍ନାଥ ସାରକା, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ ଓ ରମେଶ ମାଝୀ ପ୍ରମୁଖ ସାମିଲ ଅଛନ୍ତି।
କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଆସିଛି। ଏହି ପରିପ୍ରେକ୍ଷୀରେ ବିଜେଡିର ଏହି ଗସ୍ତକୁ ରାଜ୍ୟରେ କୋଟିଆ ପ୍ରସଙ୍ଗକୁ ନେଇ ବଢ଼ୁଥିବା ରାଜନୈତିକ ତତ୍ପରତାର ଏକ ଅଂଶ ଭାବେ ଦେଖାଯାଉଛି। ତେବେ ଗସ୍ତ ପରେ ପ୍ରତିନିଧି ଦଳ କ’ଣ ରିପୋର୍ଟ ଦେଉଛି ଏବଂ ଏହି ପ୍ରସଙ୍ଗରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ନଜର ରହିବ।



