ବାଗୁଡ଼ି ଖଣିରେ ପ୍ରଶାସନର ମହାଚଢ଼ାଉ ମାଫିଆଙ୍କ ମଧ୍ୟରେ ଛନକା

ସୋର, ବାଲେଶ୍ବର ( ଦେବାଶିଷ ଦାଶ ) ବେଆଇନ ପଥର ଖନନକାରୀଙ୍କ ଉପରେ ପ୍ରଶାସନର କଡ଼ା ପ୍ରହାର। ସକାଳୁ ବାଲେଶ୍ବର ଜିଲ୍ଲାର ବାଗୁଡ଼ି ପଥର ଖଣି ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗର ମିଳିତ ଚଢ଼ାଉ ବେଆଇନ ଖନନକାରୀଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି।ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ବରେ ସକାଳ ପ୍ରାୟ ୯ଟାରେ ସୋର ତହସିଲ ଅଧୀନ ବାଗୁଡ଼ି ଖଣି ଓ କ୍ରସର ଉପରେ ଚଢ଼ାଉ କରାଯାଇଥିଲା। ଏହି ଅଭିଯାନରେ ଗୋଟିଏ । ପଥର ଖଣି ଜବତ ହୋଇଥିବାବେଳେ ୫ଟି କ୍ରସରକୁ ସିଲ୍ କରାଯାଇଛି। ଜେସିବି ଓ ପ୍ରୋକ୍ଲିନ୍ ସମେତ୨୩ଟି ଭାରୀଯାନ, ୬ଟି କମ୍ରେସର ଓ ୭ଟି ମୋବାଇଲ ଫୋନ୍ ଜବତ ହୋଇଛି।ଏଥିସହ ୬ ଜଣ ଅପରେଟରଙ୍କୁ ଅଟକ ରଖାଯାଇଛି। ଚଢ଼ାଉରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଉପଜିଲ୍ଲାପାଳ ଶିବ ମାଲବ୍ୟ, ଜିଲ୍ଲା ଖଣି ଅଧିକାରୀ, ସୋର ତହସିଲଦାର, ରାଜସ୍ୱ ଅଧିକାରୀ, ଏସଡିପିଓ ଓ ସୋର ଥାନା ଅଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।ବେଆଇନ ପଥର ଖନନ ଓ ଖଣିଜ ସମ୍ପଦ ଲୁଟ୍ ରୋକିବାକୁ ପ୍ରଶାସନର ଏହି ଅଚାନକ ଚଢ଼ାରକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଇଛି। ଖଣି ନିୟମ ଉଲଂଘନକାରୀଙ୍କ ବିରୋଧରେ ଆଗକୁ ମଧ୍ୟ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ପ୍ରଶାସନ ସ୍ପଷ୍ଠ କରିଛି।


