ଓଡିଶା

ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା ଆଶଙ୍କା

ଭଣ୍ଡାରିପୋଖରୀ:- (ବି ନିୟୁଜ୍):- ଦୁର୍ଘଟଣା ଶୂନ୍ୟ ଯାତାୟତ ପାଇଁ ସରକାର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଵାସ୍ତଵ କ୍ଷେତ୍ରରେ ସ୍ଥିତି କିନ୍ତୁ ପୁରା ଓଲଟା ଦେଖିବାକୁ ମିଳୁଛି।ଜାତୀୟ ରାଜପଥ ନିର୍ମାଣ ପରେ ରାସ୍ତା ଯେତେ ପ୍ରଶସ୍ତ ହେଉଛି ଦୁର୍ଘଟଣା ମଧ୍ୟ ସେତେ ଵୃଦ୍ଧି ପାଉଥିବା ଦେଖା ଯାଉଛି।ଯଦିଓ ଏଥିପାଇଁ ମନୁଷ୍ୟକୃତ ଵ୍ୟଵସ୍ତା ହିଁ ଅଧିକାଂଶ ସମୟରେ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି। ସୂଚନା ମୁତାବକ ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ କିଛି ବର୍ଷ ହେବ ଶେଷ ହୋଇଛି।ଏହାରି ଭିତରେ ରାଜପଥ ପାର୍ଶ୍ବକୁ ଲାଗି ଅନେକ ହୋଟେଲ ଓ ଢାବା ଗଢି ଉଠିଲାଣି।ଵିଶେଷକରି ଛତାଵର ଟୋଲଗେଟ ଠାରୁ ଭଣ୍ଡାରିପୋଖରୀ ଯାମିନୀ ଵିନ୍ଧା ଯାଏଁ ଥିବା ଅନେକ ହୋଟେଲ ଆଗରେ ଏବେ ଵେଆଇନ ଭାବେ ଯାନବାହାନ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛି। ଏହାଛଡା କହରାପୋଖରୀ ଠାରୁ, ଧାମନଗର ଛକ,ଵାରିକପୁର ଓ ଵିଷ୍ଣୁପୁର ଯାଏଁ ଦୈନିକ ସମାନ ଚିତ୍ର ଦେଖିବାକୁ ମିଳିଛି।ଵିଶେଷ କରି ଅପରାହ୍ନ ୧୨ଟା ରୁ ୩ଟା ଓ ସନ୍ଧ୍ୟା ୭ଟାରୁ ରାତି ୧୧ଟା ଯାଏଁ ଗାଡି ଗୁଡିକ ହୋଟେଲ ଏବଂ ଢାବା ଆଗରେ ଠିଆ ହେଉଛି। ରାସ୍ତାର ଉଭୟ ପାର୍ଶ୍ବରେ ଏଭଳି ଚିତ୍ର ଦୈନନ୍ଦିନ ଦେଖିବାକୁ ମିଳୁଛି। ଗୋଟିଏ ପାର୍ଶ୍ୱରେ ତିନି ଥାକିଆ ରାସ୍ତାର ଗୋଟିଏ ପଥକୁ ମାଲବାହୀ ଯାନବାହାନ ଅକ୍ତିଆର କରୁଥିବା ବେଳେ ଏଥି ପାଇଁ ଅନ୍ୟାନ୍ୟ ଯାନବାହାନ ଚଳାଚଳରେ ଘୋର ଅସୁବିଧା ସୃଷ୍ଟି ହେଉଛି।ଯଦିଓ ନିୟମ ଦୃଷ୍ଟିରୁ ହୋଟେଲ ମାଲିକ ଗାଡି ରହିବା ପାଇଁ ନିଜସ୍ୱ ପାର୍କିଂ ସ୍ଥାନ ତିଆରି କରିବା ଉଚିତ୍।କିନ୍ତୁ କୌଣସି ହୋଟେଲର ନିଜସ୍ୱ ଗାଡି ରହିବା ସ୍ଥାନ ନଥିବାରୁ ବାଧ୍ୟ ହୋଇ ଯାନବାହାନ ଗୁଡିକ ଘଣ୍ଟା ଘଣ୍ଟା ଧରି ରାଜପଥ ଉପରେ ରହୁଛି। ଏବେ ଵର୍ଷା ସମୟ ହୋଇଥିବା ବେଳେ ଗାଡି ପାର୍କିଂ ଆହୁରି ବଢୁଛି। ସ୍ଥାନୀୟ ପୋଲିସ ଓ ତହସିଲଦାର ଏହା ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।ଵେଆଇନ ଗାଡି ପାର୍କିଂ ଯୋଗୁଁ ଛୋଟ ମୋଟ ଦୁର୍ଘଟଣା ଘଟୁଥିବା ଵେଳେ କେତେଵେଳେ ଯେ କାହାର ଜୀବନ ଚାଲିଯିବ କହି ହେବ ନାହିଁ। ବିଶେଷ କରି ମୋଟରସାଇକେଲ ଓ ସାଇକେଲ ଆରୋହୀ ମାନେ ଅତି ବିପଦ ସଙ୍କୁଳ ଭାବେ ପାର୍କିଂ ସ୍ଥାନ ଅତିକ୍ରମ କରୁଛନ୍ତି। ତେଣୁ ଵେଳହୁଁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଵୃଦ୍ଧିଜିଵି ମହଲରେ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button