ଓଡିଶା

ମୟୂରଭଞ୍ଜ ରାଜ୍ୟର ଆଦିବାସୀ ବିଜ୍ଞାନ ଗ୍ରାଜୁଏଟ ତଥା ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ରାଜ୍ୟସଭା ସାଂସଦ ସୁନ୍ଦର ମୋହନ ହେମରମଙ୍କ ୧୦୭ ତମ ଜୟନ୍ତୀ

ରାଇରଙ୍ଗପୁର, ୨ା୧୦ା୨୬; (ଶ୍ଯାମଳେନ୍ଦୁ ପରିଡା)

ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ରାଜ୍ୟସଭା ସାଂସଦ ତଥା ସମାଜ ସଂସ୍କାରକ ସୁନ୍ଦର ମୋହନ ହେମ୍ବ୍ରମଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଗିଦିଘାଟୀ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି।

 

ବାବାତିଲକା ଲାଇବ୍ରେରୀ ସଭାପତି ରାମଚନ୍ଦ୍ର ହେମ୍ବ୍ରମଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ହେମ୍ବ୍ରମ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଶିକ୍ଷାବିଦ ନନ୍ଦକିଶୋର କିସ୍କୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲ। ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ଲକ୍ଷ୍ମଣ ମାର୍ଣ୍ଡି, ବାବାତିଲକା ଲାଇବ୍ରେରୀ ସମ୍ପାଦକ ରାମଦାସ ମୁର୍ମୁ, ତାରଣା ଫାତୁମେମୋରିଆଲ ଉଚ୍ଚବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିମାଇ ହେମ୍ବ୍ରମ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଗିଦିଘାଟୀ ସରପଞ୍ଚ ସାଲାଇ ବେଶ୍ରା, ସାମ୍ବାଦିକ ଅଶୋକ ରାଉତ, ସାମ୍ବାଦିକ ଛଟରାୟ ମୁର୍ମୁ, ବହଳଦା ବରିଷ୍ଠ ନାଗରିକ ମଞ୍ଚର ସଭାପତି ବାରିଆଳ ହାଁସଦାଃ, ଗୟଳକଟା, ଗିଦିଘାଟୀ, ତାରଣା, ବଡକେଡମ ଇତ୍ୟାଦି ଗ୍ରାମର ମାଝୀବାବାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ତାରଣା ଗ୍ରାମରୁ ସେତେବେଳର ମୟୁରଭଞ୍ଜ ମହାରାଜାଙ୍କ ନିକଟରେ ପଳସା ପିଢ ସର୍ଦ୍ଧାର ଭାବେ ନିୟୋଜିତ ଥିବା ଫାତୁ ହେମ୍ବ୍ରମଙ୍କ ପୁତ୍ର ସୁନ୍ଦର ମୋହନ ହେମ୍ବ୍ରମ ମୟୂରଭଞ୍ଜ ରାଜ୍ୟର ପ୍ରଥମ ଆଦିବାସୀ ବିଜ୍ଞାନ ଗ୍ରାଜୁଏଟ ଭାବେ ରେଭେନ୍ସା ମହାବିଦ୍ୟାଳୟରୁ ୧୯୪୧ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ସାନ୍ତାଳୀ ଭାଷା ଅଲଚିକି ଲିପିର ସ୍ରଷ୍ଟା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଟାଟାନଗର ସ୍ଥିତ ଖାସମହଲର ଧପାଳିଆ କୋଠାରେ ଚାନ୍ଦାନ ପ୍ରେସ୍ ପ୍ରତିଷ୍ଠା କରି ଅଲଚିକି ଲିପିରେ ପାକ୍ଷିକ ପତ୍ରିକା ସାଗେନ ସାକାମ” ର ପ୍ରତିଷ୍ଠାତା ସଂପାଦକ ଥାଇ ଅଗଷ୍ଟ ୧୯୪୭ ମସିହା ରୁ ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ।

 

ତାଙ୍କ ରାଜନୈତିକ ଅଭିଯାନରେ ସ୍ବାଧୀନ ଭାରତରେ ମୟୁରଭଞ୍ଜ ଜିଲ୍ଲାର ପ୍ରଥମ ରାଜ୍ୟସଭା ସାଂସଦ ଭାବେ ୧୯୫୨ ମସିହାରୁ ୧୯୫୬ ମସିହା ପର୍ଯ୍ୟନ୍ତ ସାଂସଦ ରହିଥିଲେ। ଏହାପରେ ୧୯୫୭ ମସିହା ରୁ ୧୯୬୦ ମସିହା ପର୍ଯ୍ୟନ୍ତ ବହଳଦା ବିଧାନ ସଭାରୁ ବିଧାୟକ ରହିଥିଲେ। ରାଜନୈତିକ କାଳରେ ତାଙ୍କ ଲିଖିତ ପୁସ୍ତକ ‘ଟ୍ରେଣ୍ଡସ୍ ଇନ୍ ଡେମୋକ୍ରେସି’ ପ୍ରକାଶ କରିଥିଲେ। ସେ ତାଙ୍କ ପିତାଙ୍କ ସ୍କୃତୀରେ ତାରଣାରେ ଫାତୁ ମେମୋରିଆଲ ଏକାଡେମୀ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଜାରିତାଣ୍ଡି ଉଚ୍ଚବିଦ୍ୟାଳୟ ଓ ଝରାଡିହିରେ ହୃଷିକେଶ ବାଳିକା ଉଚ୍ଚବିିଦ୍ୟାଳୟ ସ୍ଥାପନ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ପାଟ୍ରାମହୁଲପାଣି ଗ୍ରାମରେ ୫୦୦୦ ( ପାଞ୍ଚ ହଜାର) ପୁସ୍ତକ ବିଶିଷ୍ଠ ବାବାତିଲକା ମାଝୀ ପାଠାଗାର ପ୍ରତିଷ୍ଠା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ସୁନ୍ଦର ମୋହନ ହେମ୍ବ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହା ସହିତ ତାଙ୍କ ଦ୍ବାରା ସ୍ଥାପିତ ସାଗେନ ସାକାମ ପାକ୍ଷିକ ପତ୍ରିକା ର ପୁନଃ ପ୍ରକାଶନ ତଥା ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ସୁନ୍ଦର ମୋହନ ସ୍ମୃତି କମିଟୀର ସଭାପତି ପିତାମ୍ବର ମୁର୍ମୁ, ସମ୍ପାଦକ ବସନ୍ତ ସାଣ୍ଡିଲ, ବାବାତିଲକା ଲାଇବ୍ରେରୀ ସଭାପତି ରାମଚନ୍ଦ୍ର ହେମ୍ବ୍ରମ ଓ ବାବାତିଲକା ଲାଇବ୍ରେରୀର ପ୍ରତିଷ୍ଠାତା, ସମ୍ପାଦକ ରାମଦାସ ମୁର୍ମୁ ପ୍ରମୁଖଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button