ରାବଣ ପୋଡ଼ି ଓ ଦୁର୍ଗାପୂଜା ବିସର୍ଜନ ପାଇଁ ସୁରକ୍ଷା କଡ଼ାକଡ଼ି, ୪୩ ପ୍ଲାଟୁନ୍ ପୁଲିସ ମୁତୟନ

କଟକ, ୨୦ ଅକ୍ଟୋବର ୨୦୨୬: ବିଜୟା ଦଶମୀରେ ରାବଣ ପୋଡ଼ି ଏବଂ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନ ବିଭିନ୍ନ ଜିଲ୍ଲାରେ ମା’ ଦୁର୍ଗାଙ୍କ ପ୍ରତିମା ବିସର୍ଜନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରେଞ୍ଜ, କଟକର ଆଇଜିପି ଡକ୍ଟର ସତ୍ୟଜିତ୍ ନାଏକ, ଆଇପିଏସ୍। ମଙ୍ଗଳବାର ଏ ନେଇ ସେ ପୁଲିସ ବଳ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ସୁରକ୍ଷା ପଦକ୍ଷେପର ସମୀକ୍ଷା କରିଥିଲେ। ରେଞ୍ଜ ଅଧୀନରେ ବିସର୍ଜନ ଶୋଭାଯାତ୍ରା ପର୍ଯ୍ୟାୟକ୍ରମେ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଚାଲିବ।
କେନ୍ଦ୍ରାଞ୍ଚଳ ରେଞ୍ଜରେ ମା’ ସାରଳା, ମା’ ଚର୍ଚ୍ଚିକା, ମା’ ଭଟ୍ଟାରିକା ଓ ମା’ ସିର୍ଲୋଙ୍କ ପରି ପ୍ରମୁଖ ଶକ୍ତିପୀଠ ସମେତ ମୋଟ ୧,୨୪୩ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। ଉତ୍ସବର ସୁପରିଚାଳନା ପାଇଁ ଜିଲ୍ଲା ପୁଲିସ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ସଂସ୍ଥା, ପୂଜା କମିଟି ଓ ଅନ୍ୟାନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରାଯାଇଛି।
ରାବଣ ପୋଡ଼ି ସ୍ଥଳ, ବିସର୍ଜନ ଶୋଭାଯାତ୍ରା ରାସ୍ତା, ସମ୍ବେଦନଶୀଳ ସ୍ଥାନ, ପ୍ରମୁଖ ଛକ ଓ ନିର୍ଦ୍ଧାରିତ ବିସର୍ଜନ ଘାଟରେ ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ ମୁତୟନ କରାଯାଇଛି। ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହୋମଗାର୍ଡଙ୍କ ସମେତ ୪୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ଭିଡ଼ ନିୟନ୍ତ୍ରଣ, ବ୍ୟାରିକେଡିଂ, ଅଗ୍ନିନିରାପତ୍ତା, ମୀନାବଜାର ଓ ମେଳା ପଡ଼ିଆର ସୁରକ୍ଷା, ଯାତାୟାତ ନିୟନ୍ତ୍ରଣ ଏବଂ ପାର୍କିଂ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଏଥିସହ ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସାମ୍ପ୍ରଦାୟିକ ସଦ୍ଭାବନା ରକ୍ଷା ଏବଂ ପ୍ରମୁଖ ପୂଜା ମଣ୍ଡପ ଓ ବିସର୍ଜନ ସ୍ଥାନରେ ଆଲୋକ, ଅଗ୍ନିନିରାପତ୍ତା ଓ ସିସିଟିଭି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି।
କେନ୍ଦ୍ରାଞ୍ଚଳ ରେଞ୍ଜର ସମସ୍ତ ଏସ୍ପିଙ୍କୁ ସତର୍କ ରହିବା, ସମ୍ପୃକ୍ତ ବିଭାଗଗୁଡ଼ିକ ସହ ନିବିଡ଼ ସମନ୍ୱୟ ରକ୍ଷା କରିବା ଏବଂ ବିସର୍ଜନ ଶେଷ ନହେବା ପର୍ଯ୍ୟନ୍ତ ନିୟମିତ ସ୍ଥିତି ରିପୋର୍ଟ (SITREP) ଦାଖଲ କରିବାକୁ ଆଇଜିପି ଡକ୍ଟର ନାଏକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ଓ ମାର୍ଗ ଅନୁସାରେ ବିସର୍ଜନ ଶୋଭାଯାତ୍ରା ସମ୍ପନ୍ନ କରିବା ସହ ଘାଟ, ଜଳାଶୟ ଓ ଜନଗହଳିପୂର୍ଣ୍ଣ ରାସ୍ତାରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ କହିଛନ୍ତି।
ଅନ୍ୟପକ୍ଷରେ, ପୁଲିସ ପକ୍ଷରୁ ଜନସାଧାରଣ ଓ ପୂଜା କମିଟିଗୁଡ଼ିକୁ ପ୍ରଶାସନ ସହ ସହଯୋଗ କରିବା, ନିର୍ଦ୍ଧାରିତ ରାସ୍ତା ଓ ସମୟ ଅନୁସରଣ କରିବା, ଶୃଙ୍ଖଳା ବଜାୟ ରଖିବା ଏବଂ ଗୁଜବ ପ୍ରଚାରରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଜରୁରୀ ପରିସ୍ଥିତିରେ ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ରାବଣ ପୋଡ଼ି ଓ ଦୁର୍ଗାପୂଜା ବିସର୍ଜନକୁ ଭକ୍ତି, ଶାନ୍ତି, ସଦ୍ଭାବନା ଓ ଦାୟିତ୍ୱବୋଧର ସହ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୁଲିସ ଜନସାଧାରଣଙ୍କ ସହଯୋଗ କାମନା କରିଛି।



