ଖୋର୍ଦ୍ଧାରେ ପୂଜା ମଣ୍ଡପର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଆଇଜିପି, ଶାନ୍ତିପୂର୍ଣ୍ଣ ବିସର୍ଜନ ଉପରେ ଗୁରୁତ୍ୱ

ଖୋର୍ଦ୍ଧା: ଆଗାମୀ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ କେନ୍ଦ୍ରାଞ୍ଚଳ ପୁଲିସ ମହାନିରୀକ୍ଷକ (ଆଇଜିପି) ଡକ୍ଟର ସତ୍ୟଜିତ୍ ନାୟକ, ଆଇପିଏସ୍ ମଙ୍ଗଳବାର ଖୋର୍ଦ୍ଧା ସହରର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଖୋର୍ଦ୍ଧା ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଆଇପିଏସ୍ ତାଙ୍କ ସହ ଉପସ୍ଥିତ ଥିଲେ।
ଆଇଜିପି ଡକ୍ଟର ନାୟକ ଖୋର୍ଦ୍ଧା ପୁରୁଣା ବସ୍ଷ୍ଟାଣ୍ଡ ନିକଟସ୍ଥ ଖୋର୍ଦ୍ଧା ଟାଉନ୍ କ୍ଲବ୍ ପୂଜା କମିଟି ଏବଂ ନୟାଗଡ଼ ରାସ୍ତାସ୍ଥିତ ଇଗଲ୍ କ୍ଲବ୍ ପୂଜା କମିଟି ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ବିସର୍ଜନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଏବଂ ପୁଲିସ, ପୂଜା କମିଟି ଓ ଅନ୍ୟ ସଂପୃକ୍ତ ପକ୍ଷଙ୍କ ମଧ୍ୟରେ ସମନ୍ୱୟର ସମୀକ୍ଷା କରିଥିଲେ।
ପୂଜା କମିଟିର ସଦସ୍ୟ ଓ କ୍ଷେତ୍ରସ୍ତରରେ ନିୟୋଜିତ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରି ଆଇଜିପି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ବିସର୍ଜନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ସମସ୍ତେ ସତର୍କ ରହିବା ସହ ସମନ୍ୱୟ ରକ୍ଷା କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏଥିସହ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ଜନସାଧାରଣ ଓ ପୂଜା କମିଟିଗୁଡ଼ିକୁ ପ୍ରଶାସନକୁ ସହଯୋଗ କରିବା, ଟ୍ରାଫିକ୍ ନିୟମ ପାଳନ କରିବା ଏବଂ ପୁଲିସର ସମସ୍ତ ସୁରକ୍ଷା ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।



