ଓଡିଶା

ବିଜୟା ଦଶମୀରେ କେଶଦୁରାପାଳର ନିଆରା ବଳଦ ଯାତ୍ରା, ପରମ୍ପରା ସହ ଯୋଡ଼ି ହୋଇଛି ଚାଷ ଓ ବାଣିଜ୍ୟ

କେନ୍ଦୁଝର: ବିଜୟା ଦଶମୀ ଅବସରରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର କେଶଦୁରାପାଳ ଗାଁରେ ଅନୁଷ୍ଠିତ ହୋଇଛି ନିଆରା ବଳଦ ଯାତ୍ରା। ପାରମ୍ପରିକ ରୀତିନୀତି ଓ ଉତ୍ସାହର ସହ ଆୟୋଜିତ ଏହି ଯାତ୍ରାରେ ବଳଦମାନଙ୍କୁ ସୁନ୍ଦର ଭାବେ ସଜାଇ ଶୋଭାଯାତ୍ରାରେ ବିଭିନ୍ନ ଗାଁ ପରିକ୍ରମା କରାଯାଇ କେଶଦୁରାପାଳ ବାଲିଯାତ୍ରା ପଡ଼ିଆକୁ ନିଆଯାଇଥିଲା। ସେଠାରେ ବିଭିନ୍ନ ଗାଁରୁ ଆସିଥିବା ବଳଦଙ୍କ ମଧ୍ୟରେ ଆକର୍ଷଣୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ନିଆରା ପରମ୍ପରାକୁ ଦେଖିବା ପାଇଁ ପଡ଼ିଆରେ ଲୋକଙ୍କ ଭିଡ଼ ଜମିଥିଲା।

ଯାତ୍ରା ପାଇଁ ବଳଦମାନଙ୍କୁ ସକାଳୁ ଗାଧୋଇ ଦିଆଯାଇ ସୁନ୍ଦର ଭାବେ ସଜାଯାଇଥିଲା। ସେମାନଙ୍କ ପିଠିରେ କୁଟା ଓ ଝୋଟ ଅଖାରେ ତିଆରି ଗାଣ୍ଡୁଆ ଉପରେ ସୁସଜ୍ଜିତ ପଲ୍ହାଣ ପକାଯାଇଥିଲା। ଦେହରେ ଘଣ୍ଟ ଓ ଘୁଙ୍ଗୁର ବାନ୍ଧିବା ସହ ଶିଙ୍ଗରେ ମୟୂର ପୁଚ୍ଛ ଏବଂ ମୁହଁରେ ମୁଖା ଲଗାଯାଇଥିଲା। ଗାଁ ମଝିରେ ପୂଜାର୍ଚ୍ଚନା ପରେ ବାଜାବାଜଣା ସହ ବଳଦମାନଙ୍କୁ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥିଲା। କେଶଦୁରାପାଳର ବିଭିନ୍ନ ସାହି ସହ ମଙ୍ଗଳପୁର ଗାଁର ବଳଦମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହା ସହ ରାବଣ ପୋଡ଼ି ଉତ୍ସବ ମଧ୍ୟ ଆୟୋଜିତ ହୋଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ବଳଦ ଯାତ୍ରାର ପରମ୍ପରା ବହୁ ପୁରାତନ। ଗ୍ରାମୀଣ ଜୀବନରେ ବଳଦ ଚାଷକାର୍ଯ୍ୟ ଓ ବେପାର ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇଥିବାରୁ ବିଜୟା ଦଶମୀରୁ ନୂଆ ବାଣିଜ୍ୟିକ କାର୍ଯ୍ୟର ଶୁଭାରମ୍ଭ କରିବାର ପରମ୍ପରା ରହିଛି। ଏହି ଯାତ୍ରା ମାଧ୍ୟମରେ ପଶୁଧନ ପ୍ରତି ସମ୍ମାନ ଓ କୃଷି ସଂସ୍କୃତିର ପରିଚୟ ମିଳିଥାଏ।

ଏହି ବଳଦ ଶୋଭାଯାତ୍ରାକୁ ନେଇ ଅଞ୍ଚଳରେ ଏକ ଧାର୍ମିକ ବିଶ୍ୱାସ ମଧ୍ୟ ରହିଛି। ଗ୍ରାମବାସୀଙ୍କ ବିଶ୍ୱାସ ଅନୁଯାୟୀ, ଏହି ଯାତ୍ରା ଦ୍ୱାରା ମା’ ମଙ୍ଗଳା ପ୍ରସନ୍ନ ହୁଅନ୍ତି ଏବଂ ଚାଷବାସ ଓ ବେପାର ବାଣିଜ୍ୟରେ ସମୃଦ୍ଧି ଆସେ। ଏହି ପରମ୍ପରା ଗାଁର ସାଂସ୍କୃତିକ ଏକତାକୁ ମଜବୁତ କରିବା ସହ ପୁରୁଣା ଲୋକପରମ୍ପରାକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବାରେ ସହାୟକ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button