ଓଡିଶା

ଜେନ୍ ଜି ଯୁବଗୋଷ୍ଠୀଙ୍କ ସମର୍ଥନରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଜେନ୍ ଜି ଯୁବଗୋଷ୍ଠୀଙ୍କ ସମର୍ଥନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମତ ରଖିବା ପରେ ରାଜ୍ୟ ରାଜନୀତିରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନବୀନ ଦାବି କରିଛନ୍ତି। ଦେଶର ଆଇନ ବ୍ୟବସ୍ଥା ଓ ସାମ୍ବିଧାନିକ ଅଧିକାର ଉପରେ ଯୁବପିଢ଼ିଙ୍କ ଭରସା ଅତୁଟ ରହିବା ଆବଶ୍ୟକ ବୋଲି ସେ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ବିଚାର ବିଭାଗ ଓ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।

ନବୀନଙ୍କ ଏହି ମନ୍ତବ୍ୟ ପରେ ବିଜେଡି ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଜୋରଦାର ହୋଇଛି। ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଜେନ୍ ଜି ଯୁବଗୋଷ୍ଠୀ ଏବେ ବିଜେପି ବିରୋଧରେ ରହିଥିବାରୁ ଦଳର ନେତାମାନେ ବିତର୍କିତ ଓ ଅବାସ୍ତବ ମନ୍ତବ୍ୟ ଦେଉଛନ୍ତି। ଅନ୍ୟପକ୍ଷରେ ବିଜେପି ସଭାପତି ମନମୋହନ ସାମଲ ବିଜେଡି ନେତାଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ସେମାନଙ୍କ ବିଚାରଧାରା ନେଇ ପ୍ରଶ୍ନ ଉଠାଇଛନ୍ତି।

ଏହି ବିବାଦରେ କଂଗ୍ରେସ ମଧ୍ୟ ନିଜର ମତ ରଖିଛି। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ଜେନ୍ ଜି ଯୁବଗୋଷ୍ଠୀ ବିଜେପିର ଏକଛତ୍ରବାଦୀ ଶାସନ ବିରୋଧରେ ଲଢ଼ିବାକୁ ସଂକଳ୍ପବଦ୍ଧ। ତାଙ୍କ ଅଭିଯୋଗ ଅନୁସାରେ, ଦେଶରେ ଯୁବପିଢ଼ିଙ୍କ ସ୍ୱରକୁ ଦମନ କରିବାକୁ ଉଦ୍ୟମ ହେଉଛି। ସମ୍ବିଧାନର ସୁରକ୍ଷା ପାଇଁ ଜେନ୍ ଜି ଆଗକୁ ଆସିଥିବା ବେଳେ ବିଭିନ୍ନ ବିରୋଧୀ ଦଳ ଓ ଇଣ୍ଡିଆ ମେଣ୍ଟ ସେମାନଙ୍କୁ ସମର୍ଥନ କରୁଛି ବୋଲି ସେ କହିଛନ୍ତି। କଲେଜ ନିର୍ବାଚନରେ ଯୁବପିଢ଼ି ନିଜର ଶକ୍ତି ପ୍ରଦର୍ଶନ କରିଥିବା ଦାବି କରି ଜୟଦେବ ଜେନା ବିଜେପିକୁ ସମାଲୋଚନା କରିଛନ୍ତି।

ସିଜେପିର ଦୁଇ ସଦସ୍ୟଙ୍କ ପ୍ରସଙ୍ଗରେ ନବୀନଙ୍କ ହସ୍ତକ୍ଷେପ ତାଙ୍କୁ ପୁଣି ଜାତୀୟ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି। ଆଇନର ଶାସନ, ନାଗରିକଙ୍କ ସାମ୍ବିଧାନିକ ଅଧିକାର ଓ ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ସ୍ୱରକୁ ନେଇ ଏହି ପ୍ରସଙ୍ଗରେ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ମତଭେଦ ସ୍ପଷ୍ଟ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button