ଦିନ ଦ୍ୱିପ୍ରହରରେ ଲୁଟ୍: ବିଏସ୍ଏନ୍ଏଲ୍ କ୍ୱାର୍ଟର୍ସରୁ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚୋରି

ଭୁବନେଶ୍ୱର, ୨୨।୧୦: ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଘରେ ପଶି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଘରେ କେହି ନଥିବାର ସୁଯୋଗ ନେଇ ତାଲା କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। ଦଶହରା ଦେଖିବାକୁ ପରିବାର ଲୋକେ ଘରୁ ବାହାରକୁ ଯାଇଥିବା ବେଳେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସହିଦନଗର ଥାନା ଅଞ୍ଚଳରେ ଥିବା ବିଏସ୍ଏନ୍ଏଲ୍ ଅଧିକାରୀଙ୍କ କ୍ୱାର୍ଟର୍ସରେ ଏହି ଚୋରି ହୋଇଛି। ଦୁର୍ବୃତ୍ତମାନେ ଘରର ତାଲା କାଟି ଭିତରେ ପଶିବା ପରେ ଆଲମାରି ଆଦି ଖୋଜାଖୋଜି କରି ସୁନା ଅଳଙ୍କାର ଓ ନଗଦ ୪୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଚୋରି ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନେ କିଏ ଏବଂ କେଉଁ ଦିଗରୁ ଆସିଥିଲେ, ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୁଲିସ ତଦନ୍ତ ଜାରି ରଖିଛି।



