ଓଡିଶା

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୭ ଠିକଣାରେ ଭିଜିଲାନ୍ସ ଚଢ଼ାଉ, ତିନି ମହଲା କୋଠାଠାରୁ ଫାର୍ମ ହାଉସ୍ ଯାଏଁ ସମ୍ପତ୍ତି ଯାଞ୍ଚ

ଭୁବନେଶ୍ୱର, ୨୨।୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣାସ୍ଥିତ ଆର୍ ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଏଇ) ତପନ ସେଠୀଙ୍କ ସାତଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁରର ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ ଚାଲିଛି। ଚଢ଼ାଉରେ ତିନି ଜଣ ଅତିରିକ୍ତ ଏସ୍ପି, ଛଅ ଜଣ ଡିଏସ୍ପି, ତିନି ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତଦନ୍ତକାରୀ ଟିମ୍ କଟକ ସିଡିଏ ସେକ୍ଟର-୭ରେ ଥିବା ତିନି ମହଲା କୋଠା, ପୁରୀର ସିଦ୍ଧମହାବୀର ଅଞ୍ଚଳରେ ଥିବା ଅନ୍ୟ ଏକ ତିନି ମହଲା କୋଠା ଏବଂ କଟକ ଜିଲ୍ଲା କଣ୍ଟାପଡ଼ାରେ ଥିବା ଏକ ଫାର୍ମ ହାଉସ୍ର ଯାଞ୍ଚ କରୁଛି। ଏହା ସହ ଭୁବନେଶ୍ୱରର କଣ୍ଟାବାଡ଼ରେ ଥିବା ଦୁଇ ମହଲା କୋଠା, ପୁରୀ ଜିଲ୍ଲା ଝିଙ୍କିରିଆରେ ଥିବା ପୈତୃକ ଘର ଏବଂ କଟକର ୪୨ ମୌଜା ଅଞ୍ଚଳରେ ଥିବା ଶ୍ୱଶୁର ଘରେ ମଧ୍ୟ ଯାଞ୍ଚ ଜାରି ରହିଛି। ଏଥିସହ ବଡ଼ଚଣାସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଥିବା ଚାମ୍ବରରୁ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଉଛି।

ଚଢ଼ାଉ ସମୟରେ ମିଳିଥିବା ସମ୍ପତ୍ତି, ସୁନା ଗହଣା ଓ ନଗଦ ଟଙ୍କାର ମୂଲ୍ୟ ଆକଳନ କରାଯାଉଛି। ଯାଞ୍ଚ ଶେଷ ହେବା ପରେ ସମ୍ପତ୍ତିର ପରିମାଣ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button