ଗଞ୍ଜାମରୁ ଟଳିଲା ବର୍ଷା ବିପଦ, ନଭେମ୍ବର ୫ରୁ ବଦଳିବ ପାଗ; ୭ରୁ ଅନୁଭୂତ ହେବ ଶୀତ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବର୍ଷା ଯୋଗୁଁ ବ୍ୟାପକ କ୍ଷତି ସହିଥିବା ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଜିଲ୍ଲାରେ ଆଉ ପ୍ରବଳ ବର୍ଷାର ଆଶଙ୍କା ନଥିବା ବେଳେ କାଁ ଭାଁ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ବାତ୍ୟା ‘ମୁରାସୁ’ ଦୁର୍ବଳ ହୋଇଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ। ଫଳରେ ଗଞ୍ଜାମ ଜିଲ୍ଲାରେ ଆଉ ବଡ଼ ବର୍ଷାର ଭୟ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ନଭେମ୍ବର ୩ ଓ ୪ ତାରିଖରେ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି ଓ କେତେକ ଉପକୂଳ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ ବର୍ଷା କମିବା ଏବଂ ନୂଆ ବର୍ଷାର ଆଶଙ୍କା ନଥିବାରୁ ଜଳସ୍ତର ହ୍ରାସ ପାଇବା ସହ ଜଳବନ୍ଦୀ ଅଞ୍ଚଳରୁ ପାଣି ନିଷ୍କାସନ ଓ ଜମିରୁ ଜଳ ଶୁଖିବାରେ ସହାୟତା ମିଳିବ। ଏ ସମ୍ପର୍କରେ ସୋଆର ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ମୁଖ୍ୟ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ବାତ୍ୟା ‘ମୁରାସୁ’ ଦୁର୍ବଳ ହୋଇଯାଇଥିବାରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ମଧ୍ୟ ବଡ଼ ଧରଣର ବର୍ଷା ହୋଇନାହିଁ। ଆଗାମୀ ଦିନରେ ବଙ୍ଗୋପସାଗରରେ ନୂଆ ପାଣିପାଗ ପ୍ରଣାଳୀ ସୃଷ୍ଟି ହେଲେ ତାହା ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶା ପାଇଁ ବାତ୍ୟାଜନିତ ବିପଦ ଆଶଙ୍କା କମ୍ ରହିଛି। ରାଜ୍ୟରେ ଏବେ ଜଳୀୟବାଷ୍ପର ପ୍ରଭାବ ରହିଥିବାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଏହାପରେ ପାଗରେ ପରିବର୍ତ୍ତନ ଆସିବା ସହ ନଭେମ୍ବର ୭ କିମ୍ବା ୮ ତାରିଖରୁ ରାତିର ତାପମାତ୍ରା କମିବ ଏବଂ ଶୀତ ଅନୁଭୂତ ହେବ। ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତର ପ୍ରଭାବ ବଢ଼ିବ ବୋଲି ସେ ଆକଳନ କରିଛନ୍ତି।


