ଓଡିଶା

କୋଟିଆ ଓ ଚିତ୍ରକୋଣ୍ଡା ସୀମା ବିବାଦ ନେଇ ବିଜେଡିର ରଣହୁଙ୍କାର, କେନ୍ଦ୍ରର ହସ୍ତକ୍ଷେପ ଦାବି

ଭୁବନେଶ୍ୱର: ଓଡ଼ିଶାର ସୀମା ସୁରକ୍ଷା ଓ ରାଜ୍ୟର ସ୍ୱାର୍ଥକୁ ନେଇ ପୁଣି ରାଜନୈତିକ ତାତି ବଢ଼ିଛି। କୋଟିଆ ସୀମା ବିବାଦ ସହ ମାଲକାନଗିରିର ଚିତ୍ରକୋଣ୍ଡା ଅଞ୍ଚଳରେ ଆନ୍ଧ୍ରପ୍ରଦେଶର କଥିତ ହସ୍ତକ୍ଷେପକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ (ବିଜେଡି)। ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ରାଜ୍ୟର ପ୍ରଶାସନିକ ଅଧିକାର ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦଳ ଦାବି କରିଛି। ଏଥିସହ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପ ରୋକିବାକୁ ରାଜ୍ୟ ସରକାର ଦୃଢ଼ ଓ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ଉଠାଇଛି। ଏନେଇ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ଦଳର ମୁଖପାତ୍ର ଲେନିନ୍ ମହାନ୍ତି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ। କୋଟିଆ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯାଉଥିବା ଏବଂ ଆନ୍ଧ୍ରପ୍ରଦେଶର ହସ୍ତକ୍ଷେପକୁ ରୋକିବାରେ ସରକାର ବିଫଳ ହେଉଥିବା ଦଳ ଅଭିଯୋଗ କରିଛି। କୋଟିଆ ବିବାଦ ଉଠିଲେ ସରକାର କେବଳ ମାମଲା ବିଚାରାଧୀନ ଥିବା କଥା କହି ନିଜ ଦାୟିତ୍ୱ ଏଡ଼ାଇ ଯାଉଛନ୍ତି ବୋଲି ବିଜେଡି ନେତାମାନେ କହିଛନ୍ତି। ସେମାନଙ୍କ ମତରେ, ସୀମା ବିବାଦର ଆଇନଗତ ସମାଧାନ ସହିତ ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ପ୍ରଶାସନିକ ଉପସ୍ଥିତିକୁ ମଜବୁତ କରିବା ଏବଂ ସ୍ଥାନୀୟ ଲୋକଙ୍କ ଅଧିକାର ସୁରକ୍ଷିତ ରଖିବା ମଧ୍ୟ ସମାନ ଭାବେ ଜରୁରୀ। ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର ଥିବା ସତ୍ତ୍ୱେ ଏହି ସମସ୍ୟାର ସମାଧାନ କାହିଁକି ହୋଇପାରୁନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି ବିଜେଡି।

ଅନ୍ୟପକ୍ଷରେ, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବାକୁ ଉଦ୍ୟମ ହେଉଥିବା ଦଳ ଅଭିଯୋଗ କରିଛି। ଏହା ଓଡ଼ିଶାର ଭୌଗୋଳିକ ସୀମା, ପ୍ରଶାସନିକ ଅଧିକାର ଓ ସାର୍ବଭୌମ ସ୍ୱାର୍ଥ ପ୍ରତି ଗୁରୁତର ଚ୍ୟାଲେଞ୍ଜ ବୋଲି ବିଜେଡି କହିଛି। ଏଭଳି ଉଦ୍ୟମକୁ ତୁରନ୍ତ ପଣ୍ଡ କରିବା ସହ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦଳ ଦାବି କରିଛି। ଆବଶ୍ୟକ ପଡ଼ିଲେ ସୀମା ସିଲ୍ କରିବା ସହ ସେଠାକାର ଲୋକଙ୍କ ସମସ୍ୟା, ଅଭିଯୋଗ ଓ ମୌଳିକ ଆବଶ୍ୟକତାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଆହ୍ୱାନ ଦେଇଛି। ଓଡ଼ିଶାର ସୀମା ଓ ସ୍ୱାର୍ଥ ସୁରକ୍ଷା ପ୍ରସଙ୍ଗରେ ସରକାର ଯଦି ନିରବ ରୁହନ୍ତି, ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରିବ ବୋଲି ଦେବୀ ପ୍ରସାଦ ମିଶ୍ର ଓ ଲେନିନ୍ ମହାନ୍ତି ଚେତାବନୀ ଦେଇଛନ୍ତି। ତେବେ ବିଜେଡିର ଏହି ଅଭିଯୋଗ ଓ ଦାବି ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button