ବିଶିଷ୍ଟ ସମାଜସେବୀତଥା ବର୍ଷୀୟାନ କଂଗ୍ରେସ ସଂଗଠକ କୈଳାସ ଚନ୍ଦ୍ର ସାମଲଙ୍କ ବିୟୋଗରେ ସ୍ମୃତି ସଭା

ମାହାଙ୍ଗା (ନିରୋଜ କୁମାର ସେଠୀ) ବଡଗେଙ୍ଗୁଟି ଅବବାହିକାରେଐତିହାସିକ ବାଜପୁରା ପଂଚାୟତର ଛୋଟିଆ ଗାଁ’ “ଇଚ୍ଛାପୁର”ର ଅବସ୍ଥିତି, କଳା,ସାହିତ୍ୟ,ସଂସ୍କୃତି,ଐତିହ୍ୟ ପରମ୍ପରା ଓ ଠାକୁର ଅଭିରାମ ପରମହଂସଙ୍କ ଆଧ୍ୟାତ୍ମିକ ଭାବନା ଗାଁ କୁ କରିଛି ମହିମା ମଣ୍ଡିତ. ଏହି ଗାଁର ମୁରବୀ, ବର୍ଷୀୟାନ କଂଗ୍ରସ ସଂଗଠକ ତଥା ପ୍ରାକ୍ତନ ମନ୍ତ୍ରୀ ସେକ ମତଲୁବ ଅଲିଙ୍କ ଘନିଷ୍ଠ ସହଯୋଗୀ କୈଳାସ ଚନ୍ଦ୍ର ସାମଲଙ୍କ ବିୟୋଗରେ ଇଚ୍ଛାପୁର ଗ୍ରାମରେ ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ଡ଼କ୍ଟର ଭିକାରି ଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ, ମହାନ ମାହାଙ୍ଗାର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ସେକ ମସୁଦ ଅଲି, ପଣ୍ଡିତ ପ୍ରଭାତ କୁମାର କର, ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ସଭାପତି ଆଇନଜୀବି ଦୀପକ କୁମାର ମହାନ୍ତି, ଅଧ୍ୟାପକ ଅନନ୍ତ ଚରଣ ରାଉତ, ପ୍ରାକ୍ତନ ସମିତି ସଭ୍ୟ ଅନିରୁଦ୍ଧ ଷଡ଼ଙ୍ଗୀ, କଂଗ୍ରେସ ସଂଗଠକ ଅଜୟ କୁମାର ମହାନ୍ତି (ଭୁଟି ବାବୁ ),ଯୁବ ସଂଗଠକ ସୁଦୀପ୍ତ ନାୟକ, ଦୀପକ କୁମାର ନାୟକ ଓ ରବିନାରାୟଣ ସାହୁ ପ୍ରମୁଖ ଯୋଗଦେଇ ସେହି ମହାନ ଅମ୍ଳାନ ଅମୃତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ଏବଂ ସେହି ଦିବଂଗତ ସ୍ମୃତି ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


