ଓଡିଶା

ମା’ ମାଟି ପ୍ରଥମ, ଦଳ ପଛେ’: କୋଟିଆ ପ୍ରସଙ୍ଗରେ ତାରାଙ୍କ କଡ଼ା ଆଭିମୁଖ୍ୟ, ବିଧାନସଭାରେ ଆତ୍ମାହୁତି ଚେତାବନୀ

ଭୁବନେଶ୍ୱର, ନଭେମ୍ବର ୨୦: କୋଟିଆ ସମେତ ଓଡ଼ିଶାର ସୀମା ବିବାଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ରାଜନୈତିକ ତାତି ବଢ଼ିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆଲୋଚନା ନହେଲେ ବିଧାନସଭା ଭିତରେ ଆତ୍ମାହୁତି ଦେବେ ବୋଲି ସେ କହିଛନ୍ତି। ତାରାଙ୍କ କହିବା ଅନୁଯାୟୀ, “ମୋ ପାଇଁ ଦଳୀୟ ରାଜନୀତିଠାରୁ ମା’ ମାଟି ଓ ମାତୃଭୂମି ବଡ଼। ମୋ ଜୀବନଠାରୁ ମୋ ମାଟି ଅଧିକ ମୂଲ୍ୟବାନ।” କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଉଲ୍ଲେଖ କରି ସେ ଅଭିଯୋଗ କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାର ଦୀର୍ଘଦିନ ଧରି ନନ୍ଦପୁରରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ସୀମାନ୍ତ ଅଞ୍ଚଳର ପ୍ରାୟ ୫୦ଟି ଗାଁ ଉପରେ ଦାବି ଜାହିର କରିଆସୁଛନ୍ତି। ଏହା ସହ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଭଳି ପଡ଼ୋଶୀ ରାଜ୍ୟର ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ହସ୍ତକ୍ଷେପ ବଢ଼ୁଥିବା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି। ରାଜ୍ୟର ସୀମା ସୁରକ୍ଷା ଓ ବିବାଦର ସମାଧାନ ପାଇଁ ବିଧାନସଭାରେ ବିସ୍ତୃତ ଆଲୋଚନା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

 

ରାଜସ୍ୱ ମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ତାରା ଅଭିଯୋଗ କରିଛନ୍ତି। ସରକାରଙ୍କର ଆଲୋଚନା ପ୍ରତି ଆନ୍ତରିକତା ନଥିଲେ ମଧ୍ୟ ଓଡ଼ିଶାର ସ୍ୱାର୍ଥକୁ ଅବହେଳା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। କୋଟିଆର ଅଧିକାର ଓ ରାଜ୍ୟର ସୀମା ସୁରକ୍ଷା ପାଇଁ କଂଗ୍ରେସ ଏବଂ ସେ ବ୍ୟକ୍ତିଗତ ଭାବେ ଲଢ଼େଇ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି। ଆବଶ୍ୟକ ପଡ଼ିଲେ ଜୀବନ ଦେବାକୁ ପଛାଇବେ ନାହିଁ, କିନ୍ତୁ ଏହି ଲଢ଼େଇରୁ ଓହରିବେ ନାହିଁ ବୋଲି ତାରା ବାହିନୀପତି ସ୍ପଷ୍ଟ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button