ଓଡିଶା

ସୁକିନ୍ଦାରେ ବଦଳୁଛି ରାଜନୈତିକ ପାଣିପାଗ: ଡ୍ୟାନିଙ୍କ ଲୋକସମ୍ପର୍କ ବଢ଼ାଉଛି ବିଜେଡିର ଆଶା, ବିଜେପି ଶିବିରରେ ଚିନ୍ତା

ଯାଜପୁର: ସୁକିନ୍ଦା ରାଜନୀତିରେ ଧୀରେ ଧୀରେ ବଦଳୁଛି ସମୀକରଣ। ୨୦୨୪ ନିର୍ବାଚନରେ ପରିବର୍ତ୍ତନର ନାରା ଦେଇ ବିଜେପିକୁ କ୍ଷମତା ଦେଇଥିବା ଭୋଟରଙ୍କ ମଧ୍ୟରେ ଏବେ ସରକାର ଓ ସ୍ଥାନୀୟ ନେତୃତ୍ୱକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ନିର୍ବାଚନରେ ପରାଜୟ ପରେ ମଧ୍ୟ ନିଜ ନିର୍ବାଚନମଣ୍ଡଳୀ ସହ ସମ୍ପର୍କ ଅତୁଟ ରଖିଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡ଼ାଇ (ଡ୍ୟାନି) ପୁଣି ରାଜନୈତିକ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି। ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ, ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ ଏବଂ ସରକାରଙ୍କ ବିଭିନ୍ନ ନୀତିକୁ ନେଇ ତଥ୍ୟଭିତ୍ତିକ ପ୍ରଶ୍ନ ଉଠାଇବା ତାଙ୍କ ରାଜନୈତିକ ସକ୍ରିୟତାକୁ ନୂଆ ଚର୍ଚ୍ଚା ଦେଇଛି। ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁକିନ୍ଦା ଓ ଦାନଗଦି ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।

 

୨୦୨୪ ନିର୍ବାଚନରେ ରାଜ୍ୟରେ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟିଥିବା ବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ରାଜନୈତିକ ପରିବର୍ତ୍ତନର ପ୍ରଭାବ ପଡ଼ିଥିଲା। ବଡ଼ଚଣା, କୋରେଇ ଓ ସୁକିନ୍ଦାରେ ବିଜେପି ବିଜୟୀ ହୋଇଥିଲା। ସୁକିନ୍ଦାରେ ବିଜେଡିର ତିନିଥର ବିଧାୟକ ତଥା ତତ୍କାଳୀନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପରାଜୟ ରାଜନୈତିକ ମହଲକୁ ଚକିତ କରିଥିଲା। ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ବିଜୟୀ ହେବା ସହ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ନୂଆ ନେତୃତ୍ୱଙ୍କ ଠାରୁ ସୁକିନ୍ଦାବାସୀ ନୂଆ ବିକାଶର ଆଶା ରଖିଥିଲେ। କିନ୍ତୁ ନିର୍ବାଚନ ପରବର୍ତ୍ତୀ ସମୟରେ ଅଞ୍ଚଳର ବିକାଶ, ଶ୍ରମିକଙ୍କ ସମସ୍ୟା ଓ ସ୍ଥାନୀୟ ରାଜନୈତିକ ପରିଚାଳନାକୁ ନେଇ ଅସନ୍ତୋଷର ସ୍ୱର ଶୁଣିବାକୁ ମିଳୁଥିବା ବିଜେଡି ଶିବିର ଦାବି କରୁଛି।

 

ବିଶେଷକରି ଶିଳ୍ପାଞ୍ଚଳର ଶ୍ରମିକଙ୍କ ନିଯୁକ୍ତି, ଛଟେଇ ଭୟ ଓ ରାଜନୈତିକ ପକ୍ଷପାତିତାକୁ ନେଇ ବିଭିନ୍ନ ଅଭିଯୋଗ ଉଠୁଛି। ବିଜେଡି ସମର୍ଥକଙ୍କ ଉପରେ ଆକ୍ରମଣ ଓ କେତେକ କ୍ଷେତ୍ରରେ ଶ୍ରମିକଙ୍କୁ ରାଜନୈତିକ ସମର୍ଥନ ପାଇଁ ଚାପ ପକାଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ତଦନ୍ତ ଓ ସମ୍ପୃକ୍ତ ପକ୍ଷଙ୍କ ପ୍ରତିକ୍ରିୟା ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ବିଜେପିର କେତେକ କର୍ମୀ ଓ ସ୍ଥାନୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଏବଂ ଦଳୀୟ ସଂଗଠନରେ ସମସ୍ତଙ୍କୁ ସମାନ ଗୁରୁତ୍ୱ ମିଳୁନଥିବା ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। ମନ୍ତ୍ରୀଙ୍କ ନିକଟତମ ପରିବାର ସଦସ୍ୟଙ୍କ ଭୂମିକାକୁ ନେଇ ମଧ୍ୟ କେତେକ କର୍ମୀ ପ୍ରଶ୍ନ ଉଠାଉଥିବା କୁହାଯାଉଛି।

 

ସୁକିନ୍ଦା ରାଜନୀତିରେ ଆଉ ଏକ ବଡ଼ ପ୍ରସଙ୍ଗ ହେଉଛି ନଗଡ଼ା। ଏକଦା ନଗଡ଼ାର ବିକାଶକୁ ନେଇ ରାଜ୍ୟସ୍ତରରେ ଚର୍ଚ୍ଚା ହେଉଥିଲା। ବରିଷ୍ଠ ରାଜନେତା ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓ ପରବର୍ତ୍ତୀ ସମୟରେ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟକାଳରେ ଏହି ଅଞ୍ଚଳର ବିକାଶକୁ ନେଇ ବିଭିନ୍ନ ଯୋଜନା ଓ ପଦକ୍ଷେପ ଚର୍ଚ୍ଚାରେ ରହିଥିଲା। ହେଲେ ବର୍ତ୍ତମାନ ନଗଡ଼ାରେ ସରକାରୀ ସୁବିଧା, ମୌଳିକ ସେବା ଓ ଜନସାଧାରଣଙ୍କ ସମସ୍ୟାକୁ ନେଇ ପୁଣି ପ୍ରଶ୍ନ ଉଠୁଛି। ନଗଡ଼ାବାସୀଙ୍କ ଅଭାବ ଅସୁବିଧା ଦୂର କରିବାରେ ପ୍ରଶାସନ କେତେ ସଫଳ ହୋଇଛି, ତାହାର ନିରପେକ୍ଷ ସମୀକ୍ଷା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

 

ନିର୍ବାଚନ ପରାଜୟ ପରେ ଡ୍ୟାନି ନିରବ ରହିଥିଲେ ମଧ୍ୟ ନିର୍ବାଚନମଣ୍ଡଳୀ ସହ ସମ୍ପର୍କ ଛିନ୍ନ କରିନାହାନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚିବା, ରୋଗୀଙ୍କୁ ଡାକ୍ତରଖାନାରେ ଭେଟିବା, ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ଓ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ମାଧ୍ୟମରେ ସେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି। ରାସ୍ତାକଡ଼ର ଚା’ ଖଟି ହେଉ କି ଗୁପଚୁପ ଠେଲା, ସାଧାରଣ ଲୋକଙ୍କ ସହ ମିଶିବାର ତାଙ୍କ ଶୈଳୀ ଏବେ ତାଙ୍କ ରାଜନୈତିକ ପରିଚୟର ଏକ ଅଂଶ ପାଲଟିଛି। ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ସହ କର୍ମୀଙ୍କ ସମସ୍ୟାରେ ଦୃଢ଼ ଭାବେ ଠିଆ ହେବା ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି।

 

କେବଳ ସୁକିନ୍ଦା ନୁହେଁ, ରାଜ୍ୟସ୍ତରରେ ମଧ୍ୟ ଡ୍ୟାନି ସରକାରଙ୍କ ନୀତିକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ବିଶେଷକରି କେନ୍ଦ୍ର ସରକାରଙ୍କ ଖଣି ଓ ଖଣିଜ ସମ୍ପଦ ସମ୍ପର୍କିତ ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ନେଇ ସେ ଓଡ଼ିଶାର ଆର୍ଥିକ ସ୍ୱାର୍ଥ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ। ତାଙ୍କ ଆକଳନ ଅନୁଯାୟୀ, ଏହି ବ୍ୟବସ୍ଥା ଯୋଗୁଁ ରାଜ୍ୟ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ବକେୟା ଆୟ ଓ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବାର ଆଶଙ୍କା ରହିଛି। ଖଣି ଅଞ୍ଚଳର ଲୋକେ ଧୂଳି ଓ ପ୍ରଦୂଷଣ ସହି ଖଣିଜ ସମ୍ପଦର ଉତ୍ପାଦନରେ ଭାଗୀଦାର ହେଉଥିବା ବେଳେ ସେମାନଙ୍କ ଅଞ୍ଚଳର ହକ୍‌ ଓ ଆର୍ଥିକ ସ୍ୱାର୍ଥ ସୁରକ୍ଷିତ ରହିବା ଆବଶ୍ୟକ ବୋଲି ସେ ଯୁକ୍ତି ରଖିଛନ୍ତି।

 

ସେହିପରି ରାଜ୍ୟର ବାଲିଘାଟ ନିଲାମ ପ୍ରକ୍ରିୟାକୁ ନେଇ ମଧ୍ୟ ଡ୍ୟାନି ସରକାରଙ୍କୁ ଘେରିଛନ୍ତି। ପୂର୍ବରୁ ଇ-ନିଲାମ ମାଧ୍ୟମରେ ଅଧିକ ରାଜସ୍ୱ ମିଳୁଥିବା ବେଳେ ଲଟେରୀ ପଦ୍ଧତି ଦ୍ୱାରା ବାଲିଘାଟ ଆବଣ୍ଟନ କଲେ ରାଜ୍ୟର ଆୟ କମିବା ସହ ପ୍ରିୟାପ୍ରୀତି ତୋଷଣର ସୁଯୋଗ ସୃଷ୍ଟି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଏହା ଦ୍ୱାରା ରାଜ୍ୟ ବାର୍ଷିକ ପ୍ରାୟ ୨ ହଜାର କୋଟି ଟଙ୍କାର ରାଜସ୍ୱ ହରାଇପାରେ। ତେବେ ଏହି ଆର୍ଥିକ ଆକଳନ ଓ ନିଲାମ ବ୍ୟବସ୍ଥା ସମ୍ପର୍କିତ ସରକାରୀ ତଥ୍ୟ ସାର୍ବଜନୀନ ହେବା ଏବଂ ଏହା ଉପରେ ସରକାରଙ୍କ ସ୍ପଷ୍ଟୀକରଣ ଆସିବା ଆବଶ୍ୟକ।

 

ଯୁବପିଢ଼ିଙ୍କୁ ରାଜନୀତି ଓ ସାମାଜିକ କାର୍ଯ୍ୟରେ ସାମିଲ କରିବା ପାଇଁ ମଧ୍ୟ ଡ୍ୟାନି ଉଦ୍ୟମ ଆରମ୍ଭ କରିଛନ୍ତି। ଜେନ୍‌-ଜି ଯୁବକଯୁବତୀଙ୍କୁ ନେଇ ସଂଗଠନ ଗଢ଼ିବା, ସେମାନଙ୍କ ଭବିଷ୍ୟତ, ଶିକ୍ଷା, ନିଯୁକ୍ତି ଓ ନେତୃତ୍ୱ ବିକାଶକୁ ଗୁରୁତ୍ୱ ଦେବା ତାଙ୍କ ନୂଆ ରାଜନୈତିକ ରଣନୀତିର ଅଂଶ ବୋଲି କୁହାଯାଉଛି। ଯୁବପିଢ଼ି କେବଳ ଭବିଷ୍ୟତ ନୁହନ୍ତି, ବରଂ ବର୍ତ୍ତମାନର ସାମାଜିକ ପରିବର୍ତ୍ତନର ମଧ୍ୟ ଅଂଶୀଦାର ହେବା ଉଚିତ ବୋଲି ସେ ଆହ୍ୱାନ ଦେଇଆସୁଛନ୍ତି।

 

ସୁକିନ୍ଦାରେ ଡ୍ୟାନିଙ୍କ ବଢ଼ୁଥିବା ଲୋକସମ୍ପର୍କ ଓ ସରକାରଙ୍କ ବିରୋଧରେ ତାଙ୍କ ତଥ୍ୟଭିତ୍ତିକ ରାଜନୈତିକ ଆକ୍ରମଣ ବିଜେଡି ଶିବିରକୁ ଉତ୍ସାହିତ କରିଛି। ଅନ୍ୟପଟେ ବିଜେପି ଶିବିରରେ ସଂଗଠନ, କର୍ମୀଙ୍କ ଅସନ୍ତୋଷ ଓ ସ୍ଥାନୀୟ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସାମାଜିକ ଗଣମାଧ୍ୟମରେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ପ୍ରଚାର ଓ ପ୍ରତିପ୍ରଚାର ମଧ୍ୟ ଜାରି ରହିଛି। ମିଥ୍ୟା ଓ ଅରୁଚିକର ପ୍ରଚାର ଦ୍ୱାରା ରାଜନୈତିକ ଲାଭ ମିଳିବା ପରିବର୍ତ୍ତେ ଲୋକଙ୍କ ମଧ୍ୟରେ ଅବିଶ୍ୱାସ ବଢ଼ିପାରେ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି।

 

ଆଗକୁ ପଞ୍ଚାୟତ ନିର୍ବାଚନ। ତା’ପରେ ସାଧାରଣ ନିର୍ବାଚନର ଲକ୍ଷ୍ୟ ନେଇ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ସଂଗଠନ ସଜାଡ଼ିବାରେ ଲାଗିବେ। ସୁକିନ୍ଦା ଓ ଦାନଗଦି ବ୍ଲକ୍‌ରେ ବିଜେଡି ପୁଣି ନିଜର ପୁରୁଣା ଦବ୍‌ଦବା ଫେରାଇପାରିବ କି ନାହିଁ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ଡ୍ୟାନିଙ୍କ ପାଇଁ ଏବେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଲୋକଙ୍କ ଭରସାକୁ ଏକ ଦୃଢ଼ ରାଜନୈତିକ ସଂଗଠନରେ ପରିଣତ କରିବା। ସେହିପରି ବିଜେପି ପାଇଁ କର୍ମୀଙ୍କ ଅସନ୍ତୋଷ ଦୂର କରିବା, ବିକାଶର ହିସାବ ଦେବା ଓ ଜନସାଧାରଣଙ୍କ ଆସ୍ଥା ଫେରାଇ ଆଣିବା ହେବ ପ୍ରମୁଖ ଚ୍ୟାଲେଞ୍ଜ। ରାଜନୀତିରେ ଶେଷ ନିଷ୍ପତ୍ତି ନିଅନ୍ତି ଜନସାଧାରଣ। ସୁକିନ୍ଦାରେ ମଧ୍ୟ ଆଗାମୀ ଦିନରେ ଭୋଟରଙ୍କ ରାୟ ହିଁ ନିର୍ଣ୍ଣୟ କରିବ କାହାର ପଦ୍ମ ଫୁଟିବ ଓ କାହାର ଶଙ୍ଖନାଦ ଶୁଭିବ।

Related Articles

Leave a Reply

Your email address will not be published. Required fields are marked *

Back to top button