ଭୁବନେଶ୍ଵରରେ ପୋଡି ହୋଇ ମୃତ୍ୟ ବରଣ କରିଥିବା ଯୁବତୀଙ୍କ ଶବ ପହଞ୍ଚିଲା କମ୍ପିରା ଗ୍ରାମରେ

ଚଣ୍ଡିଖୋଲ,୨୦।୧୧,(ବିନାୟକ ନିୟୁଜ୍)।ଭୁବନେଶ୍ଵରରେ ପୋଡି ହୋଇ ମୃତ୍ୟ ବରଣ କରିଥିବା ଯୁବତୀଙ୍କ ଶବ ପହଞ୍ଚିଲା କମ୍ପିରା ଗ୍ରାମରେ।ପୂର୍ବତନ ପୁରୁଷ ବନ୍ଧୁ ଗିରଫ।
କୌଣସି କାରଣରୁ ଦେହରେ ନିଆଁ ଲଗାଇ ଗୁରୁତର ହୋଇ ଅକାଳ ମୃତ୍ୟୁ ବରଣ କରିଥିବା ବଡଚଣା ବ୍ଲକ ତଥା ସିହା ପଞ୍ଚାୟତ ଅନ୍ତର୍ଗତ କମ୍ପିରା ଗ୍ରାମର ଯୁବତୀ କଳ୍ପନା ସାମଲ (୨୧) ଙ୍କର ଶବ ଆଜି ତାଙ୍କ ବାସଭବନରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହି ଖବର ପ୍ରଚାରିତ ହେବା କ୍ଷଣି ତାଙ୍କ ବାସଭବନରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କର ସୁଅ ଛୁଟିଥିଲା । କଳ୍ପନାଙ୍କ ମରଶରୀରକୁ ଦେଖି ଗ୍ରାମବାସୀ ମାନଙ୍କ ଆଖିରେ ଲୁହ ଭରି ଯାଇଥିଲା । ସୂଚନା ମୁତାବକ ମୃତା କଳ୍ପନା ଭୁବନେଶ୍ଵରର ଇନଫୋଷିଟି ଥାନା ଅନ୍ତର୍ଗତ ପଥର ଗାଡିଆରେ ରହିବା ସହିତ ସେ ସେଠାରେ ଏକ ବେସରକାରୀ ସଂସ୍ଥାରେ ରହି କାର୍ଯ୍ୟ କରୁଥିଲେ । ଗତ ଦୁଇ ଦିନ ତଳେ ସେ କୌଣସି କାରଣରୁ ତାଙ୍କ ଦେହରେ ନିଆଁ ଲାଗି ୯୦ ପ୍ରତିଶତ ପୋଡି ଯାଇଥିଲା । ତେବେ ଏନେଇ ଇନଫୋଷିଟି ଥାନାରେ ମୃତା କଳ୍ପନାଙ୍କ ବାପା ଅଜିତ ସାମଲ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତାଙ୍କର ପୁରୁଷ ବନ୍ଧୁଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ଆଜି କଳ୍ପନାଙ୍କ ମୃତ୍ୟୁ ହେବା ପରେ ପୋଲିସ ପୁରୁଷ ବନ୍ଧୁଙ୍କୁ ଗିରଫ କରିଥିବା ଜଣାଯାଇଛି । କଳ୍ପନାଙ୍କ ଅକାଳ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । କଳ୍ପନାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ପୂର୍ବତନ ପ୍ରେମିକ ଅନୁଗୁଳ ଜିଲ୍ଲା ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ କମଳଛୁଇଁ ଗ୍ରାମର ସୌମ୍ୟ ରଞ୍ଜନ ପ୍ରଧାନ କୁ ଗିରଫ୍ କରି ଇନ୍ଫୋସିଟି ପୋଲିସ କୋର୍ଟ ଚାଲାଣ କରିଛି।


